ରାଜ୍ୟକୁ ଆସିବ କୋଭାକ୍ସିନର ଆଉ ଏକ ଲଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟକୁ କୋଭାକ୍ସିନ ଟିକାର ଆଉ ଏକ ଲଟ୍ ଆସୁଛି। ଆସନ୍ତା ସପ୍ତାହକ ମଧ୍ୟରେ ୧ ଲକ୍ଷ ୪୯ ହଜାର ୭୬୦ଟି କୋଭାକ୍ସିନ ଡୋଜ ଓଡ଼ିଶାରେ ଆସି ପହଞ୍ଚିବ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପୂର୍ବଭଳି କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହିଁ କୋଭାକ୍ସିନ ଟିକା ଦିଆଯିବ।

ସେହିପରି କ୍ୟାପିଟାଲ ହେଲ୍ଥ କେୟାର (ସିଏଚସି)ରେ ସପ୍ତାହରେ ୩ ଦିନ ଟିକାକରଣ ହେବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ସିଏଚସିରେ ଅନ୍ୟରୋଗୀଙ୍କ ଚିକିତ୍ସା ସହ ଟିକାକରଣ ହେବ। ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ଦିନ ଟିକାକରଣ ହେବ। ସେହିପରି ରବିବାର ଦିନ ବନ୍ଦ ରହିବ। ହେଲେ ସରକାରୀ ଓ ଘରୋଇ ହସ୍ପିଟାଲରେ ଛୁଟି ଦିନ ବ୍ୟତୀତ ସମସ୍ତ ଦିନରେ ପୂର୍ବଭଳି ଟିକାକରଣ ଚାଲୁ ରହିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଗତକାଲି ୪୩୬ ସେସନ୍‌ରେ ୪୪,୮୮୦ ଜଣଙ୍କୁ ଟିକା ଦିଆଯାଇଛି। ୨୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୧୩ ହଜାର ୬୨୩ ଜଣଙ୍କୁ ଟିକା ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯାଉଛି।