ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଙ୍ଗନବାଡ଼ି କର୍ମୀଙ୍କୁ ଏବେ ୭,୫୦୦ ଟଙ୍କା ଦରମା ମିଳୁଛି। ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି। ଓଡ଼ିଶା ସରକାର ଅଙ୍ଗନୱାଡି କର୍ମୀଙ୍କୁ ଅଧିକ ୩ ହଜାର ଟଙ୍କା ଦେଉଛନ୍ତି। ତେଣୁ କେନ୍ଦ୍ର ସରକାର ଏମାନଙ୍କ ଶ୍ରମିକ ଭାବେ ଘୋଷଣା କରି ମାସିକ ଦରମାକୁ ସେର୍ବନିମ୍ନ ୧୫ ହଜାର ଟଙ୍କା ଦେବାକୁ ବିଜେଡି ଦାବି କରିଛି।
ଭୁବନେଶ୍ୱରରେ ଆୟୋଜିତ ବିଜୁ କୃଷକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀରେ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇ ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ଯୋଗଦେଇ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ଅଙ୍ଗନବାଡ଼ି କର୍ମୀଙ୍କ ପ୍ରମୁଖ ୫ ଦଫା ଦାବି ଭିତରେ ଅବସର ଅବଧି ୬୦ରୁ ୬୨କୁ ବଢ଼ାଇବା, ଅବସରକାଳୀନ ଭତ୍ତା ବୃଦ୍ଧି ଓ ଗ୍ରୀଷ୍ମକାଳୀନ ଛୁଟି ଦେବା ପ୍ରସଙ୍ଗ ଥିଲା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଗୁଡ଼ିକୁ ସୁହୃଦୟତାର ସହ ଅବଗତ ହୋଇଛନ୍ତି। ଆଗାମୀ ଦିନରେ ସେସବୁ ଦାବି ଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।
କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ଆଦୌ ଗୁରତ୍ୱ ନଦେବା ଦୁଃଖର ବିଷୟ ବୋଲି ବିଜେଡି ସାଂସଦ ସୁବାସ ସିଂ ମତ ପ୍ରକାଶ କରିଥିଲେ। ସେ କହିଥିଲେ, ଅଙ୍ଗନୱାଡି କର୍ମୀଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉ। ଦରମା ୭,୫୦୦ ଟଙ୍କା ନୁହେଁ, ସର୍ବନିମ୍ନ ୧୫ ହଜାର ଟଙ୍କା ଦିଆଯାଉ। ସଂସଦରେ ଏହି ପ୍ରସଙ୍ଗ ଉଠିଥିଲେ ହେଁ କେନ୍ଦ୍ର ସରକାର କିଛି ଗୁରୁତ୍ୱ ଦେଇନାହାନ୍ତି। ସେମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ପୋଷଣ କରିବା ଠିକ୍ ନୁହେଁ। ଭତ୍ତା ତୁରନ୍ତ ବଢାଇବା ଦରକାର। ସବୁଠାରୁ ଦୁଃଖର କଥା କେନ୍ଦ୍ର ସରକାର ଅଙ୍ଗନୱାଡି କର୍ମୀଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଅଭହିତ କରୁଥିଲେ ହେଁ ସେମାନଙ୍କୁ କିଛି ସୁବିଧା ନ ଦେବା କ୍ଷୋଭର ବିଷୟ ବୋଲି ଶ୍ରୀ ସିଂ ମତ ରଖିଥିଲେ।