ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହେଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଗିରଫ ହୋଇଛନ୍ତି। ବିଶାଖାପାଟଣାର ପଶ୍ଚିମ ଜୋନର ବିଧାୟକ ଥିଲେ। ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି। ଏମ ଭି ପ୍ରସାଦଙ୍କ ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନାମରେ ୧୨ ଶହ କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଛି।

ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଞ୍ଚଳର ଶହ ଶହ ଜମାକାରୀଙ୍କ ଠାରୁ କମ୍ପାନୀ ଟଙ୍କା ଠକେଇ କରିଥିବାର ଅଭିଯୋଗ ରହିଛି। ୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ପରେ କମ୍ପାନୀ ଲୋକଙ୍କୁ ଟଙ୍କା ଫେରାଇ ନଥିବାର ଅଭିଯୋଗ ରହିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ସ୍ଥିତ ଘରେ, ଅଫିସରେ ଚଢ଼ଉ କରିଥିଲା। ତାଙ୍କ ଘରୁ ପାଖାପାଖି ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।