ଆଜି ବାତ୍ୟାର ରୂପ ନେଇପାରେ ‘ଅମ୍ଫାନ’, ଉପକୂଳବର୍ତ୍ତୀ ଓଡ଼ିଶାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅମ୍ଫାନ’ର ରୂପ ନେଇପାରେ। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ତରଫରୁ ଉପକୂଳ ଓଡ଼ିଶାର ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ସନ୍ଧ୍ୟା ପରେ ଏହା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ। ବାତ୍ୟା କେଉଁଠି ଲାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇପାରି ନାହିଁ। ପଶ୍ଚିମବଙ୍ଗ, ବାଂଲାଦେଶ ଅଥବା ଅନ୍ୟ କେଉଁଠି ଲାଣ୍ଡଫଲ କରିପାରେ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ। ତେଣୁ ଆସନ୍ତାକାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅଧିକ ବିପଦ ରହିଛି। ଯାହା ଅନୁମାନ କରାଯାଉଛି, ୧୮ତାରିଖ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ୧୯ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘଡଘଡ଼ି ବର୍ଷା ସହ ପବନର ଘଣ୍ଟା ପିଛା ବେଗ ୪୦ରୁ ୫୦ କିଲୋମିଟର ରହିପାରେ।