ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। କରୋନା ମହାମାରୀର ରୂପ ନେଉଛି। ଧୀରେ ଧୀରେ କରୋନାରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ଯାଉଥିବାବେଳେ ଏହାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। କରୋନା ସର୍ତକତା ନେଇ କମିଶନରେଟ ପୁଲିସର ବଡ ପଦକ୍ଷେପ। ଆଜିଠାରୁ ଟ୍ୱିନସିଟିର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୩୧ ଯାଏଁ ଭୁବନେଶ୍ୱର ଓ କଟକର ସମସ୍ତ ମଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ବାନ ପୋଲିସ ଆକ୍ଟ ଧାରା ୩୫ ଅନୁସାରେ ସମସ୍ତ ମଲ ବନ୍ଦ କରିବାକୁ ଘୋଷଣା କରାଯାଇଛି।
କରୋନାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। କରୋନା ଯେପରି ଓଡ଼ିଶାରେ ନ ବ୍ୟାପିବ ସେଥିପାଇଁ ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏହାପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ, ଜିମ ସେଣ୍ଟର, ସୁଇମିଂ ପୁଲ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତି ନେଇଥିଲେ ସରକାର। ତେବେ ପରୀକ୍ଷାକୁ ବନ୍ଦ ନକରିବାକୁ ନିଷ୍ପତି ନିଆଯାଇଥିଲା। ଏପରିକି ଗତକାଲି ମଲ ଗୁଡିକରେ ନିର୍ଦ୍ଦିଷ୍ଟ କିଛି ସଂଖ୍ୟକ ଲୋକଙ୍କୁ ଛାଡିବାକୁ କୁହାଯିବା ସହ ପ୍ରତ୍ୟେକ ଆଉଟଲେଟ ଷ୍ଟୋରରେ ସାନିଟାଇଜରର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ତେବେ କରୋନାର ପ୍ରଭାବ ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାର ଆଜିଠାରୁ ଟ୍ୱିନସିଟିର ମଲ ଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି।