କରୋନା ପାଇଁ ଓପିଏସସିର ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ପାଇଁ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତି ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ବଳବତ୍ତର ରହିବ ବୋଲି ଓପିଏସସି କାର୍ଯ୍ୟାଳୟ ସୂତ୍ରରୁ ବୁଧବାର ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଥିବା କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୮୨୫ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ହୋଇଛି । ଏଥିରୁ ଚୀନରେ ସର୍ବାଧିକ ୮୦ହଜାର ୮୯୪ଜଣ ସଂକ୍ରମିତ ହୋଇଥିବାବେଳେ ଇଟାଲୀରେ ୩୧ହଜାର ୫୦୬ଜଣ ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨ପହଞ୍ଚିଛି।

ଭାରତରେ ମୋଟ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଭାରତରେ କରୋନା ସଂକ୍ରମଣ ଏବେ ଦ୍ୱିତୀୟ ପର୍ୟ୍ୟାୟରେ ରହିଛି । ଏହା ଯେପରି ଷ୍ଟେଜ-୩କୁ ନ ଯିବ ସେଥିପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।