ଏମ୍ସରେ ହିନ୍ଦୀ ଭାଷାରେ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : ରାଜ୍ୟରେ ବିଡେଜି, କଂଗ୍ରେସ ଓ ସଂଗଠନ ପକ୍ଷରୁ ପ୍ରବଳ ବିରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱର ‘ଏମ୍ସ’ର ସମସ୍ତ ଅଫିସ କାର୍ଯ୍ୟ ହିନ୍ଦୀ ଭାଷାରେ ପ୍ରଚଳିତ ହେବା ବା କାର୍ଯ୍ୟକାରୀ ହେବ। ଏଭଳି ବିଚିତ୍ର ଓ ଅବାସ୍ତବ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ଏଭଳି ଆଶ୍ଚର୍ଯ୍ୟ ସୃଷ୍ଟି କଲାଭଳି ନୋଟିସ୍ ଲଟକା ହୋଇଛି ଏମ୍ସ ଭୁବନେଶ୍ୱରରେ। ଏଭଳି ନିର୍ଦ୍ଦେଶନାମାକୁ ଓଡ଼ିଶାରେ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହି ନିଦ୍ଦେଶନାମା ଓଡ଼ିଶାର ମାତୃଭାଷା ପ୍ରତି ଅପମାନ। ଏହାକୁ ବରଦାସ୍ତ କରାଯିବ ନାହିଁ। ଯଦି କେନ୍ଦ୍ର ସରକାର ଏଭଳି ଅପମାନଜନକ ନିର୍ଦ୍ଦେଶନାମାକୁ ପ୍ରତ୍ୟାହୃତ ନ କରନ୍ତି, ଏହା ବିରୋଧରେ ସ୍ୱର ଉଠାଯିବା ସହିତ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ନୋଟିସକୁ ବିରୋଧ କରିଛି ବିଜେଡି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏନେଇ ଶ୍ରୀ ମଙ୍ଗରାଜ କହିଲେ ଯେ, ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ କରୁଛି। ଏଭଳି ସମୟରେ ଏମ୍ସର ଭାଷା ବିଦ୍ୱେଷ ସାମନାକୁ ଆସିଛି। ଡାକ୍ତରଖାନା ପରିସରରେ ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପଞ୍ଜିକରଣ ଓ ଭାଗବିନିମୟ ସହ ଦସ୍ତଖସ୍ତ ମଧ୍ୟ ହିନ୍ଦୀରେ କରିବାକୁ ଏମ୍ସ କର୍ତ୍ତୃପକ୍ଷ ଏହାର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ପ୍ରତି ଏହା ଅପମାନ ଓ ଏଠାରେ କାର୍ଯ୍ୟ କରୁଥିବା ଓଡ଼ିଆ କର୍ମଚାରୀଙ୍କ ପ୍ରତି ଚରମ ବୈମାତୃକ ମନୋଭାବ।

ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା। ଆମେ କାହାକୁ ଆମର ମାତୃଭାଷାକୁ କୋଣଠେସା କରିବାକୁ ଦେବୁନାହିଁ। ବିଶେଷକରି ଯେଉଁ ସଂସ୍ଥା ଓ ଅନୁଷ୍ଠାନ ଓଡ଼ିଶାରେ କାର୍ଯ୍ୟକରୁଛନ୍ତି ସେମାନଙ୍କୁ ତ ଆଦୌଂ ଏଭଳି କରିବାକୁ ଦିଆଯିବ ନାହିଁ। ହିନ୍ଦୀ ବଦଳରେ ଓଡ଼ିଆ ବ୍ୟବହାର କରିବାକୁ ଦାବି କରାଯିବ। କାରଣ ଏହା ଲୋକଙ୍କୁ ଏବଂ ଏମ୍ସରେ ରୋଗୀଙ୍କୁ ବୁଝି କାର୍ଯ୍ୟ କରିବାରେ ସହଜ ହେବ। ତେବେ କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଅବଗତ କରାଯାଇ ବିଜେଡି ତା’ର ବିରୋଧ ଜାରି ରଖିବ। ଏବଂ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେବକୁ ସେ ଦାବି କରିଛନ୍ତି।

ଏମ୍ସରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ପ୍ରସଙ୍ଗକୁ ବିରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏମ୍ସରେ ହିନ୍ଦୀ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିବା ଓଡ଼ିଆ ଭାଷା ପ୍ରତି ଅପମାନ। ଓଡ଼ିଆ ଭାଷା ଅତ୍ୟନ୍ତ ଉଚ୍ଚକୋଟୀର ଓ ପୁରାତନ। ଏଣୁ ଆମ ଭାଷାକୁ ଏଭଳି ଭାବେ ଅଣଦେଖା କରାଯିବା ଉଚିତ୍ ନୁହେଁ। ରାଜ୍ୟରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜାତୀୟ ସ୍ତରରେ ଓଡ଼ିଆକୁ ସଦାସର୍ବଦା ଅବହେଳା କରାଯାଇଛି। ମୋଦୀ ସରକାର ହିନ୍ଦୀ ଭାଷା ପ୍ରତି ମାତ୍ରାଧିକ ଆସକ୍ତି ନରଖି ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରନ୍ତୁ। ଏକ ଭାଷାଭିତ୍ତିକ ରାଜ୍ୟରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ସମ୍ଭବପର ନୁହେଁ।

ସୂଚନାଯୋଗ୍ୟ, ଏମ୍ସର ସମସ୍ତ କର୍ମଚାରୀଙ୍କ ପାଇଁ ହିନ୍ଦୀ ବାଧ୍ୟତାମୂଳକ ହୋଇଛି। ଏହି ମର୍ମରେ ଭୁବନେଶ୍ୱର ଏମ୍ସର ଉପନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ମଚାରୀମାନେ ଯେଭଳି ଭାବେ ହିନ୍ଦୀରେ କାର୍ଯ୍ୟକରିବେ, ସେଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀ, ଏକାଡେମିକ ବିଭାଗ, ଡାକ୍ତରଖାନା ପ୍ରଶାସନ, ଅର୍ଥ ଓ ଆକାଉଣ୍ଟସ ଏବଂ ବିଭାଗୀୟ ମୁଖ୍ୟଙ୍କ ପଦକ୍ଷେପ ନେବାପାଇଁ କୁହାଯାଇଛି। ପ୍ରତି ତିନିମାସରେ ଥରେ ଅଧିକାରୀ ବିଭାଗରେ ହେଉଥିବା କାର୍ଯ୍ୟ ସଂକ୍ରାନ୍ତରେ ସରକାରୀ ଭାଷା ସେକ୍ସନ୍କୁ ରିପୋର୍ଟ ଦେବେ। ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ତାହାକୁ ମନ୍ତ୍ରଣାଳୟକୁ ପଠାଇବେ।

ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ, ସମସ୍ତ ନଥିରେ ନାମ ଓ ବିଷୟ ହିନ୍ଦୀରେ ଲେଖିବେ, ପଞ୍ଜୀକରଣ ଖାତାରେ ନାମ ଓ ଉପବିଭାଗ ସବୁ ହିନ୍ଦୀରେ ଲେଖାଯିବା ସହ ସମସ୍ତ ନାମାଙ୍କନ ହିନ୍ଦୀରେ କରାଯିବ, ଅତି କମ୍ରେ ୩୦% ନାଟିଂ ଓ ଡ୍ରାଫ୍ଟିଂ ହିନ୍ଦୀରେ କରାଯିବ, ଅତି କମରେ ୫୫% ଯୋଗାଯୋଗ ଚିଠିପତ୍ର ହିନ୍ଦୀରେ ହେବ, କାର୍ଯ୍ୟାଳୟରେ ବ୍ୟବହୃତ ସମସ୍ତ ଦ୍ୱିଭାଷୀ ଫାରମ୍‍ ହିନ୍‍ଦୀରେ ନାମାଙ୍କିତ ହେବ, ସବୁ ଚିଠିର ଉତ୍ତର ହିନ୍ଦୀରେ ଲେଖାଯିବ, ସମସ୍ତ ପ୍ରଶାସନିକ ମିଟିଂରେ ଆଲୋଚନା ହିନ୍ଦୀରେ କରାଯାଇପାରେ ଏବଂ ମିଟିଂର କାର୍ଯ୍ୟସୂଚୀ ଯଥା ସମ୍ଭବ ହିନ୍ଦୀରେ କରାଯିବ। ଏହି ନିର୍ଦ୍ଦେଶ ତୁରନ୍ତ ପାଳନ କରିବାକୁ ଚିଠିରେ ଲେଖାଯାଇଛି। ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହାଇଥିବା ବେଳେ ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏଭଳି ସ୍ଥିତିରେ ଓଡ଼ିଶା ଭାଷାକୁ ଅପାମାନିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଓଡ଼ିଆଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।