ପୁଣି ଦର ବୃଦ୍ଧି: ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା, ପୁଣି ପେଟ୍ରୋଲ, ଡିଜେଲରେ ବଢ଼ିଲା ୮୦ ପଇସା

ଭୁବନେଶ୍ବର,ଏନ୍ଏନ୍ଏସ୍: ପେଟ୍ରୋଲ ଓ ଡିଜେଲ ପରେ ସରକାରୀ କଂପାନି ଆଜି ରୋଷେଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି। ଦରବୃଦ୍ଧି ପରେ ସମ୍ବଲପୁର, ଯାଜପୁର ଓ ରାଉରକେଲାରେ ଗ୍ୟାସ୍‌ ଦାମ୍ ହଜାରେ ଟଙ୍କା ଅତିକ୍ରମ କରିଛି। ସମ୍ବଲପୁରରେ ସିଲିଣ୍ଡର ଦାମ୍ ସର୍ବାଧିକ ୧,୦୧୧ ଟଙ୍କା ହୋଇଥିବା ବେଳେ ରାଉରକେଲାରେ ୧,୦୦୯ ଟଙ୍କା ଓ ଯାଜପୁରରେ ୧,୦୦୭ ଟଙ୍କାକୁ ବୃଦ୍ଧି ପାଇଛି। ବାଲେଶ୍ବର, ଅନୁଗୁଳ ଓ ବ୍ରହ୍ମପୁରରେ ମଧ୍ୟ ଗ୍ୟାସ୍‌ ଦର ୧୦୦୦ ଟଙ୍କା ପାଖାପାଖି ରହିଛି।

ଆନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ୧୧୩ ଡଲାର ପାଖାପାଖି ରହିଛି। ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୬-୭୭ ଟଙ୍କା ସ୍ତରରେ ରହିଛି। ଏହି କାରଣରୁ କଂପାନିଗୁଡ଼ିକ ଗ୍ୟାସ ଦର ବଢ଼ାଇଛନ୍ତି। ଶେଷ ଥର ଲାଗି ୨୦୨୧ ଅକ୍ଟୋବର ୬ରେ ଏଲ୍‌ପିଜି ଦାମ୍ ବଢ଼ିଥିଲା। ଅବଶ୍ୟ, ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ସ୍ବାଭାବିକ ଭାବେ ବଢ଼ୁଥିଲା। ମାତ୍ର, ଘରେ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ୧୪.୨ କେଜିଆ ସିଲିଣ୍ଡର ଦାମ୍ ବଢ଼ିନଥିଲା। ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍‌ପିଜି ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା। ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସେହିପରି ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଥିଲା ବେଳେ ଆଜି ଦ୍ବିତୀୟ ଦିନ ପୁଣି ତେଲ ଦରରେ ୮୦ ପଇସା ବୃଦ୍ଧି କରାଯାଇଛି। ସରକାରୀ କଂପାନି ପକ୍ଷରୁ ଡିଲରମାନଙ୍କୁ ଏସଂପର୍କରେ ଆଜି ଜଣାଇ ଦିଆଯାଇଛି।