ଏପ୍ରିଲ୍‌ରୁ ରାଜ୍ୟର ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏପ୍ରିଲ୍‌ ମାସରୁ ରାଜ୍ୟର ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ ଅଫିସର ଚିଠି ଲେଖିଛନ୍ତି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି। ଏନେଇ ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ କରୋନା ପାଇଁ ରାଜ୍ୟରେ ୨ ବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ବଣ୍ଟନ କରାଯାଉଥିଲା। ବର୍ତ୍ତମାନ ରାଜ୍ୟରେ କରାେନା କୋପ କମିବାରୁ ସ୍କୁଲ ଖୋଲିଛି। ସ୍କୁଲରେ ଯେପରି ପିଲାମାନେ ଭୋକରେ ନ ରହିବେ ସେନେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।