ଓଡ଼ିଶାରେ ପୁଣି ଲଘୁଚାପ: ସେପ୍ଟେମ୍ବର ୬ରୁ ୧୧ ପର୍ଯ୍ୟନ୍ତ ହେବ ଭଲ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଣିପାଗ ପାଇଁ ଶୁଭ ସଂକେତ ନେଇ ଆସିଛି ସେପ୍ଟେମ୍ବର। ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଅଗଷ୍ଟର ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଭରଣା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗର (ଆଇଏମ୍‌ଡି)ର ଆକଳନ ଅନୁଯାୟୀ ଆସନ୍ତା ୬ ଓ ୧୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ‌ହେବ। ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ। କିନ୍ତୁ ଏହି ବର୍ଷା ରାଜ୍ୟରେ ଚାଷ କାର୍ଯ୍ୟ ପାଇଁ ବିଶେଷ ଉପଯୋଗୀ ହେବ ନାହିଁ ବୋଲି ଆଇଏମଡି କହିଛି।

ମୌସୁମୀଜନିତ ନିମ୍ନଚାପରେଖା ଓଡ଼ିଶାର ଗୋପାଳପୁର ମଧ୍ୟ ଦେଇ ପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ପାଣିପାଗର ଏହି ନିୟାମକ ପ୍ରଭାବରେ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଅନ୍ୟ କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତାକାଲି ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ।

୪ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ଓ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ୫ ଓ ୬ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ଅଧିକ ରହିବ। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ୬ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି।