ଓଡ଼ିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏନେଇ ୧୧ଟା ବେଳେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗତକାଲି ଦିନ ବେଳେ ୨ଟି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ରାତିରେ ଆଉ ୪ଟି ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୬ଟି ନୂଆ କରୋନା ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ଗତକାଲି ମୋଟ ୪୦୮ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୪୦୨ଟି ନମୁନା ନେଗେଟିଭ୍ ଆସିଥିବା ବେଳେ ୬ଟି ନମୁନାରେ କରୋନା ଭୂତାଣୁ ଠାବ ହୋଇଛି। ଏହା ସହ ନୂଆ ୪ଟି ରୋଗୀଙ୍କ ନେଇ କୌଣସି ଅଧିକ ତଥ୍ୟ ଦିଆଯାଇ ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ୪୮ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପ୍ରଥମ ୨ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।