ଆଦିତ୍ୟ ଦାଶ ମୃତ୍ୟ ଘଟଣା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ,ଏନ୍ଏନ୍ଏସ୍: ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ଅଥବା ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମୃତ ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାଶ, ବାପା ନନ୍ଦିକିଶୋର ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟରେ ଏହାର ସିବିଆଇ ତଦନ୍ତ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଉପରୋକ୍ତ ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଆଦିତ୍ୟ ଓ ବିଦ୍ୟାଶ୍ରୀ ଦୁଇଜଣଙ୍କ ମତାମତ ଆଧାରରେ ବାହାଘର ହୋଇଥିଲା। ଆଦିତ୍ୟ ଜଣେ ସାମାଜିକ କର୍ମୀ ଭାବେ ବେଶ ସୁପରିଚିତ ଥିଲେ। ତାଙ୍କର ବହୁଳ ସାମାଜିକ ପ୍ରତିଷ୍ଠା ମଧ୍ୟ ଥିଲା। ସେ ସର୍ବଦା ସେବାମୂଳକ କାର୍ଯ୍ୟରେ ନିଜ ଜୀବନକୁ ନିୟୋଜିତ କରିଥିଲେ। ତେବେ ଆଦିତ୍ୟ ବିଦ୍ୟାଶ୍ରୀଙ୍କୁ ବିବାହ କରିବାର ୨୭ ଦିନ ପରେ ଅର୍ଥାତ୍ ଜୁଲାଇ ୭ ତାରିଖରେ ସ୍ଥାନୀୟ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ରେଲୱେ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ରେଲବାଇ ପୁଲିସ୍ ତଦନ୍ତରେ କିଛି ତଥ୍ୟ ହାସଲ କରିବାରେ ବିଫଳ ହେବାରୁ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦିଆଯାଇଥିଲା। ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏପରି ସ୍ଥଳେ ଘଟଣାର ସିବିଆଇ ତଦନ୍ତ ଜରୁରୀ ହୋଇପଡିଛି ବୋଲି ଆବେଦନରେ ଦର୍ଶାଯାଇଛି। ରୁଜୁ ମାମଲାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, ଜିଆର୍ପି ଏସପି, ସିବିଆଇ ଏସ୍ପି ଓ କ୍ରାଇମବ୍ରାଞ୍ଚଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଛନ୍ତି।