ବିଦାହେବେ ରାଜ୍ୟର ଆଡହକ୍ ଅଧ୍ୟାପକ

୨୦୨୦ ମେ’ ୩୧ପର୍ଯ୍ୟନ୍ତ କାର୍ଯ୍ୟକରିବାକୁ ମିଳିଲା ଶେଷ ନିର୍ଦ୍ଦେଶନାମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସରକାରୀ ଜୁନିୟର କଲେଜ ସମେତ ସ୍ୱୟଂଶାସିତ ଏବଂ ଡିଗ୍ରୀ କଲେଜରେ ନିଯୁକ୍ତି ପାଇଥିବା ସମସ୍ତ ଆଡ଼ହକ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଛଟେଇ କରାଯିବ। ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ନମ୍ବର ୨୧୩୦୩ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚିଠିରେ ଦର୍ଶାଯାଇଛି ଯେ, ମୋଟ୍ ୧୮୭ଜଣ ଆଡହକ ଅଧ୍ୟାପକଙ୍କ ମଧ୍ୟରୁ ରାଜ୍ୟର ଡିଗ୍ରୀକଲେଜରେ ଆଡହକରେ ନିଯୁକ୍ତି ପାଇଥିବା ୧୨୦ଜଣ ଏବଂ ଜୁନିୟର କଲେଜରେ ଆଡହକରେ ଥିବା ୬୭ଜଣଙ୍କୁ ଆସନ୍ତା ୨୦୨୦ ମେ’ ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଶେଷଥର ନିର୍ଦ୍ଦେଶ ଦିଆଯାଇଛି। ତାହାପରେ ଆଉ ସେମାନଙ୍କୁ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦିଆଯିବ ନାହିଁ। ମାସିକ ୩୧ହଜାର ୨୭୫ଟଙ୍କା ବେତନରେ କାର୍ଯ୍ୟକରୁଥିବା ଆଡହକ୍ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଲାଗି ଶେଷ ସୁଯୋଗ। ତେବେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ କଲେଜରେ କାର୍ଯ୍ୟ କରିଆସୁଥିବା ଶିକ୍ଷକଙ୍କୁ ୬ବର୍ଷ ପରେ ଛଟେଇ କରାଯିବ। ଏହି ଅଧ୍ୟାପକଙ୍କ ମଧ୍ୟରୁ ଅନେକ ପିଏଚଡି ଲାଭ କରି ଅଧ୍ୟାପନା କରୁଥିଲେ।