ରାଜ୍ୟରେ ବଢିଛି ଏସିଡ୍ ଆଟାକ୍ : ପଶ୍ଚିମବଙ୍ଗ ଏବଂ ୟୁପି ପରେ ତୃତୀୟରେ ଓଡ଼ିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସିଡ୍ ପୀଡିତାଙ୍କ ସଂଘର୍ଷ ଏବଂ ଜୀବନଶୈଳୀକୁ ନେଇ ନିକଟରେ ରିଲିଜ ହୋଇଥିଲା ବଲିଉଡ୍ ଫିଲ୍ମ ‘ଛପାକ୍’। ଫିଲ୍ମଟିରେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋଣ ଲକ୍ଷ୍ମୀ ଅଗ୍ରୱାଲା ନାମକ ଜଣେ ଏସିଡ ପୀଡିତାଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଦେଶରେ ଲକ୍ଷ୍ମୀ ଅଗ୍ରୱାଲ ଭଳି ଅନେକ ଅସିଡ୍ ପୀଡିତା ରହିଛନ୍ତି। ଦିନକୁ ଦିନ ଏସିଡ୍ ପୀଡିତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ମଧ୍ୟ ଏନସିଆରବି ରିପୋର୍ଟରୁ ଜଣାଯାଇଛି।

ରାଜ୍ୟରେ ମହିଳା ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛନ୍ତି। ଏଭଳି ପ୍ରମାଣିତ ହୋଇଛି ସଦ୍ୟ ପ୍ରକାଶିତ ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ ପ୍ରମାଣିତ ହୋଇଛି। ୨୦୧୮ମସିହାର ସର୍ଭେକୁ ନେଇ ଏନସିଆରବି ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ପରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୧୭ରେ ୧୩ଟି ଏସିଡ୍ ମାଡ ମାମଲା ସହ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଥିଲା। ୨୦୧୮ରେ ମଧ୍ୟ ରାଜ୍ୟରେ ୧୩ଟି ଏସିଡ୍ ମାଡ ଘଟଣା ଘଟିଛି।

ତେବେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏସିଡ୍ ମାଡ ମାମଲାରେ ରାଜ୍ୟ ଦେଶରେ ତୃତୀୟ ସ୍ଥାନରେ ରହିଛି। ପୂର୍ବ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୪ରେ ଏହି ଧରଣର ୧୦ଟି ମାମଲା ଘଟିଥିବା ବେଳେ ୨୦୧୫ରେ ଏହା ୫୦ପ୍ରତିଶତ ହ୍ରାସ ପାଇ ୫ରେ ପହଞ୍ଚିଥିଲା। ତେବେ ୨୦୧୫ ପରଠାରୁ ଏହି ମାମଲା ବଢିବାରେ ଲାଗିଛି। ଏହାଛଡା ଇରାଡିକେସନ ଅଫ୍ ଏସିଡ୍ ଭାଓଲେନ୍ସ ଉପରେ ହେଉଥିବା ଏକ ସିମ୍ପୋଜିୟମ୍ ଏସିଡ୍ ପୀଡିତାଙ୍କୁ ସହାୟତା ଯୋଗାଉଥିବା ଏକ ଏନଜିଓ ପକ୍ଷରୁ କୁହାଯାଇଥିଲା ଯେ, ୨୦୧୧ ମସିହାରୁ ୨୦୧୯ ପର୍ଯ୍ୟନ୍ତ ୭୦ଟି ଏସିଡ୍ ଆଟାକ୍ ମାମଲା ରିପୋର୍ଟ କରାଯାଇଛି।