ଟ୍ରକ୍ ପଛରୁ ଧକ୍କାଦେଇ ଯୁବକ ମୃତ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ବେଲପାହାଡ଼ ଓଭର ବ୍ରିଜରେ ଅଚଳ ହୋଇ ଛିଡ଼ାହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ଝାଡ଼ଖଣ୍ଡ ଅଞ୍ଚଳର ସୁରେନ୍ଦ୍ର ଲୁହୁରା (୩୦) ବୋଲି ଜଣାପଡ଼ିଛି । ସୁରେନ୍ଦ୍ର ବାଇକରେ ବେଲପାହାଡ ଦେଇ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲେ । ଏହି ସମୟରେ ବେଲପାହାଡ଼ ଓଭର ବ୍ରିଜରେ ଛିଡ଼ାହୋଇଥିବା ଟ୍ରକକୁ ଧକ୍କା ଦେଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ସହିତ ଶରିରର ଏକାଧିକ ସ୍ଥାନରେ ଗଭୀର ଆଘାତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ଉଦ୍ଧାରକରି ଟିଆରଏଲ କ୍ରୋସାକି ମେଡିକାଲକୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଏହାପରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ପ୍ରକାଶ ଯୋଗ୍ୟ ଯେ, ସୁରେନ୍ଦ୍ର ଏମସିଏଲ ଦ୍ୱାରା ନିୟୋଜିତ ବିଜିଆର ନାମକ ଏକ ଠିକା କମ୍ପାନୀ ଅଧୀନରେ ଡୋଜର ଚାଳକ ଭାବେ ଲଖନପୁର ଖୋଲା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିଲେ ।