ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ। ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିସନରଙ୍କୁ ଚିଠି ଲେଖାଯାଇଛି। ଏମାନେ ହେଲେ ସାହି ଦୋକାନି, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସେଲୁନ ଦୋକାନୀ ଓ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ ଏବଂ ମସଜିଦ ପୂଜକ। ଏହି ବର୍ଗର ବ୍ୟକ୍ତି ସୁପରସ୍ପ୍ରେଡର ହେବାର ଆଶଙ୍କା ଥିବାରୁ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି।
ସେହିପରି ବିଦ୍ୟୁତ୍, ଜଳ ଏବଂ ପରିବହନ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ଟିକାକରଣରେ ସାମିଲ କରିବା ପାଇଁ ରାଜ୍ୟ ଷ୍ଟିୟରିଂ କମିଟି ନିଷ୍ପତ୍ତି ନେଇଛି। ଏପ୍ରିଲ ୧ ଓ ୨ ତାରିଖ ସରକାରୀ ଛୁଟି ଥିଲେ ମଧ୍ୟ ଏହି ଦିନରେ ଟିକାକରଣ କରାଯିବ। ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ ରଖିଛନ୍ତି ସରକାର।