ଉଚିତ ଚରିତ୍ର ଗଠନ ପାଇଁ କଲେଜରେ ଆୟୋଜନ ହେବ ‘ଯୁବ ସଂସ୍କାର କାର୍ଯ୍ୟକ୍ରମ’

ଭୁବନେଶ୍ବର,ଏନ୍ଏନ୍ଏସ୍: ଉଚିତ ଚରିତ୍ର ଗଠନ ପାଇଁ କଲେଜରେ ଆୟୋଜନ ହେବ ‘ଯୁବ ସଂସ୍କାର କାର୍ଯ୍ୟକ୍ରମ’। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଠ୍ୟକ୍ରମ ବହିର୍ଭୂତ ରହିବ। ଏହାସତ୍ତ୍ୱେ କ୍ଳାସ ରୁମ୍‌ରେ ଏହା ଆୟୋଜିତ ହେବ। କୌଣସି ପରୀକ୍ଷା ବା ମୂଲ୍ୟାୟନ ହେବନାହିଁ । ମାସକୁ ଅତି କମ୍‌ରେ ଥରେ କ୍ଳାସ୍ କରାଯିବ। ଏହି କାର୍ଯ୍ୟକ୍ରମ ଜରିଆରେ ଚରିତ୍ର ଗଠନ ଉପରେ ଆଧାରିତ ଫିଲ୍ମ ଗୁଡ଼ିକୁ ପ୍ରଦର୍ଶନ କରାଯିବ।

ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ କୌଶଳ ଓ ଜ୍ଞାନ ସହିତ ସମୃଦ୍ଧ କରିବା ଏବଂ ଚରିତ୍ର ଗଠନ ଏହାର ଉଦ୍ଦେଶ୍ୟ। ଏଥିପାଇଁ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏସନ୍ ସ୍ତରରେ ‘ନୈତିକତା ଏବଂ ମୂଲ୍ୟବୋଧ\’ ନାମକ ଏକ ନୂତନ ବାଧ୍ୟତାମୂଳକ ଏକାଡେମିକ୍ ପାଠ୍ୟକ୍ରମ ପ୍ରବର୍ତ୍ତିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଦୁଇରୁ ତିନିଜଣ ଶିକ୍ଷକ ନୋଡାଲ୍ ଶିକ୍ଷକ ଭାବରେ ନିଯୁକ୍ତ ହେବେ। ଜଣେ ବରିଷ୍ଠ ଶିକ୍ଷକଙ୍କ ନିର୍ଦ୍ଦେଶନାମାରେ ନୋଡାଲ୍ ଶିକ୍ଷକମାନେ କାର୍ଯ୍ୟକରିବେ। ନୋଡାଲ ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଛାତ୍ର ସ୍ୱେଚ୍ଛାସେବୀମାନେ ନିୟୋଜିତ ହେବେ। ପୂର୍ବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉନଥିବାରୁ ଏନେଇ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର।