ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ କମ୍ପେ୍ଲକ୍ସ ଖୋଲାଯିବ। ଏଥିପାଇଁ ଏକ ବିସ୍ତୃତ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଗୁରୁବାର ଭର୍ଚୁଆଲ୍ ମୋଡ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଲୋକାର୍ପିତ କରି ଏହା କଳାକାରଙ୍କୁ ସେମାନଙ୍କ କଳାତ୍ମକ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରିବ ବୋଲି ମତ ରଖିଛନ୍ତି। ସେ କହିଛନ୍ତି ଯେ କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ରାଜ୍ୟର ସର୍ବବୃହତ୍ତ ଆର୍ଟ ଗ୍ୟାଲେରୀ। ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟ ଭଳି ପାଞ୍ଚଟି ଜିଲ୍ଲାରେ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି। ଏହି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପଦକ୍ଷେପ ନେଇଛି।
ମୁଖ୍ୟମନ୍ତ୍ରୀ ରାଜ୍ୟର ସାଂସ୍କୃତିକ ଗୌରବ ସମ୍ବନ୍ଧରେ ଉଲ୍ଲେଖ କରି କହିଛନ୍ତି ଯେ ଓଡ଼ିଶା ସମୃଦ୍ଧ ସାଂସ୍କୃତିକ ତଥା କଳାତ୍ମକ ଐତିହ୍ୟର ଭଣ୍ଡାର। ଚିତ୍ର, ସ୍ଥାପତ୍ୟ, ମୂର୍ତ୍ତି ଏବଂ ହସ୍ତତନ୍ତରେ ଏକ ଦୀର୍ଘ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ଆମର ଅନନ୍ୟ ପରମ୍ପରା ରହିଛି। ଆମର କଳାତ୍ମକ ପରମ୍ପରା ପାଇଁ ଆମର ଏକ ଦାୟିତ୍ୱ ରହିଛି। ଏହି ଅନନ୍ୟ ପରମ୍ପରାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଆମେ ସବୁକିଛି କରିବା ଉଚିତ। ପାଞ୍ଚଟି ଜିଲ୍ଲାର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ସ୍ଥାନୀୟ କଳାକାରମାନଙ୍କୁ ସେମାନଙ୍କ କଳାତ୍ମକ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରିବ ଏବଂ ସ୍ଥାନୀୟ କଳାକୁ ପ୍ରୋତ୍ସାହନ ଦେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ୟାଲେରୀଗୁଡ଼ିକ ଆମର ଯୁବକ ଓ ଉଦୀୟମାନ କଳାକାରଙ୍କ ମଧ୍ୟରେ ଭାବବିନିମୟର ଏକ ମାଧ୍ୟମ ହେବ। ସମୟ ସହିତ ସେମାନଙ୍କୁ ଶିଖିବା ତଥା ବିକଶିତ ହେବାରେ ସାହାଯ୍ୟ କରିବ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଓଡ଼ିଶା ଲଳିତ କଳା ଏକାଡେମୀ ଅଧ୍ୟକ୍ଷ ସୁଦର୍ଶନ ପଟ୍ଟନାୟକ ବକ୍ତବ୍ୟ ରଖିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।