ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପୂର୍ବତନ ବାଚସ୍ପିତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି(୬୩)ଙ୍କ ହୃଦଘାତରେ ଆଜି ସଂଧ୍ୟାରେ ପରଲୋକ ହୋଇଛି। ଶ୍ରୀ ମହାନ୍ତିଙ୍କ ବିୟୋଗରେ ଝାରସୁଗୁଡାରେ ଶୋକର ଲହରୀ ଖେଳି ଯାଇଛି। ଆଜି ସଂଧ୍ୟାରେ ବିଧାୟକ ଶ୍ରୀ ମହାନ୍ତି ବିଜେଡି କର୍ମକର୍ତା ସହ ବିଜେଡି କାର୍ଯ୍ୟାଳୟରେ ନିଜର ଜଣେ ସହଯୋଗୀଙ୍କ ଶୋକ ସଭାରେ ଯୋଗଦେଇଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ସେଠାରୁ ସେ ନିଜ ଘରକୁ ଫେରିଥିଲେ। ସେଠାରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ ତୁରନ୍ତ ମଙ୍ଗଳବଜାରସ୍ଥିତ ଏକ ଘରୋଇ ନରସଂହୋମକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଧାୟକ ମୃତ୍ୟୁ ଖବର ଶୁଣି ନରସିଂହ ହୋମରେ ସ୍ଥାନୀୟ ଜନ ପ୍ରତିନିଧୀ ଓ ଲୋକଙ୍କ ସୁଅ ଛୁଟିଥିଲା। ଅନ୍ୟପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ପ୍ରମୁଖଙ୍କସହ ଜିଲ୍ଲାବାସୀ ଶେଷ ଦର୍ଶନ କରିଛନ୍ତି।
୧୯୯୦ ରେ ପ୍ରଥମେ ବିଧାୟକ କିଶୋର ମହାନ୍ତି ଝାରସୁଗୁଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦ ଏବଂ ୨୦୦୪ ମସିହାରେ ଝାରସୁଗୁଡାରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହାସହ ୨୦୧୯ ମସିହାରେ ବ୍ରଜରାଜନଗର ନିର୍ବଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସ୍ୱର୍ଗତ ଶ୍ରୀ ମହାନ୍ତି ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ତୁଳାଇଥିବାବେଳେ ୨୦୦୪ରୁ ୨୦୦୭ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ। ସେହିପରି ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଳାଇଛନ୍ତି। ସେ ନିଜର ରାଜନୈତିକ ଜୀବନରେ ବିଭିନ୍ନ ଉନ୍ନୟନମୂଳକ ଏବଂ ଲୋକାଭିମୂଖୀ କାର୍ଯ୍ୟ କରିବାସହ ତୃଣମୂଳସ୍ତରରେ ଜନମାନସଙ୍କ ସହ ଯୋଡି ହୋଇ ରହିଥିଲେ। ତାଙ୍କର ବିୟୋଗ ବିଜୁଜନତା ଦଳ ସହ ଝାରସୁଗୁଡା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି। ଆଜି ସଂଧ୍ୟାରେ ହୃଦଘାତ ହେବା ପୂର୍ବରୁ ବିଧାୟକ ଶୀ ମହାନ୍ତି ବ୍ରଜରାଜନଗର ପରିଦର୍ଶନ କରି ବିଧବା ଭତା, ବାର୍ଦ୍ଧକ ଭତା, ବିକଳାଙ୍ଗ ଭତା ମିଳୁନଥିବା ହିତାଧୀକାରୀଙ୍କ ଭତା ପଦାନ କରିବା ପାଇଁ ଜିଲ୍ଲାପ୍ରଶାସନ ସହ ଆଲୋଚନା କରି ଭତା ପ୍ରଦାନର ବ୍ୟବସ୍ଥା କରାଇଥିଲେ। ସେହିପରି ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକୁ ମୁକ୍ତା ଯୋଜନା ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟଦେଶ ପ୍ରଦାନ କରିଥିଲେ। ତେବେ ତାଙ୍କର ହଠାତ୍ ବିୟୋଗରେ ଝାରସୁଗୁଡାବାସୀ ସ୍ୱବ୍ଧ ହୋଇପଡି ଥିବାବେଳେ ଦିବଙ୍ଗତ ଜନନେତା ବିଧାୟକ କିଶୋର କୁମାର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।