ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପୁଲିସ ବିଭାଗର ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି। ୪ ଜଣ ଆଇପିଏସ୍ ଓ ଦୁଇଜଣ ଓପିଏସ୍ଙ୍କ ବଦଳି ହୋଇଥିବା ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମାଲକାନଗିରି ଏସ୍ପି ପ୍ରହଲ୍ଲାଦ ସାହାଇ ମୀନାଙ୍କୁ ଏଆଇଜି ପୁଲିସ ମୁଖ୍ୟାଳୟ ଭାବେ ବଦଳି କରାଯାଇଛି। ସେହିପରି କେସିଙ୍ଗା ଏସ୍ଡିପିଓ ଏସ୍. ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ)ଭାବେ ଅବସ୍ଥାପିତ କରାଯାଇଛି। ଏସ୍ଡିପିଓ ତାଳଚେର ନିତେଶ ୱାଢ଼ୱାନିଙ୍କୁ ମାଲକାନଗିରି ଏସ୍ପି, ମାଲକାନଗିରି ଏସ୍ଡିପିଓ ଜି.ଅବିଳାଶଙ୍କୁ ଏସ୍ଟିଏଫ୍ରେ ନାର୍କୋଟିକ୍ସ ଏସ୍ପି ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ଏଥିସହ ଭୁବନେଶ୍ୱର ଟ୍ରାଫିକ ଡିସିପି ମାୟାଧର ସେଠୀଙ୍କୁ ବଦଳି କରାଯାଇ ନୂତନ ଭାବେ ସୃଷ୍ଟି ହୋଇଥିବା ଡିସିପି(କ୍ରାଇମ) ଭାବେ ଅବସ୍ଥାପିତ କରାଯାଇଛି।
ମାଲକାନଗିରି ଏସ୍ପି ଶ୍ରୀ ମୀନାଙ୍କୁ ବର୍ଷକ ମଧ୍ୟରେ ବାରମ୍ବାର ବଦଳି କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାଲକାନଗିରିରେ ଏସ୍ଡିପିଓ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୀନାଙ୍କୁ ୨୦୨୦ଡ଼ିସେମ୍ବର ଶେଷ ସପ୍ତାହରେ ଏସ୍ପି ଭାବେ ପଦୋନ୍ନତି ଦିଆଯାଇ ନବରଙ୍ଗପୁରର ଏସ୍ପି କରାଯାଇଥିଲା। କିନ୍ତୁ ୬ମାସ ନପୁରୁଣୁ ୨୦୨୧ ଜୁଲାଇ ମାସରେ ତାଙ୍କୁ ପୁଣିଥରେ ମାଲକାନଗିରି ଏସ୍ପି ଭାବେ ବଦଳି କରାଗଲା। ପରେ ମାଲକାନଗିରିରେ ସାମ୍ବାଦିକମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତାଙ୍କୁ ମହଙ୍ଗା ପଡ଼ିଥିବା କୁହାଯାଉଛି।