ଭୁବନେଶ୍ବର ଫୁଟ୍‌ସାଲ୍‌ ଲିଗ୍‌ ଟ୍ରଫି ଜିତିଲା ମୁକ୍ତେଶ୍ବର ଏଫ୍‌ସି

ଭୁବନେଶ୍ବର‌,ଏନ୍ଏନ୍ଏସ୍: ଯୁବା ଉତ୍କଳ ଫାଉଣ୍ଡେସନ୍ (ୱାଇୟୁଏଫ୍‌) ପକ୍ଷରୁ ସ୍ଥାନୀୟ ବିଜେବି କଲେଜ୍ ପଡିଆରେ ଚାଲିଥିବା ଭୁବନେଶ୍ବର ଫୁଟ୍‌ସାଲ୍ ଲିଗ୍‌ ଶନିବାର ଶେଷ ହୋଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଆର୍‌ବିଆଇକୁ ୧-୦ ଗୋଲ୍‌ରେ ପରାସ୍ତ କରି ମୁକ୍ତେଶ୍ବର ଏଫସି ବିଜେତା ହୋଇଛି। ଏକମାତ୍ର ଗୋଲ୍‌ ରାଜୀବ ଦାସ ଦେଇଥିଲେ। ପୂର୍ବରୁ ସେମିଫାଇନାଲରେ ମୁକ୍ତେଶ୍ବର ଏଫସି ପେନାଲଟିରେ ମୁକ୍ତେଶ୍ବର ଭେଟେରାନ୍‌କୁ ପରାସ୍ତ କରିଥିଲା। ଅନ୍ୟ ସେମିଫାଇନାଲରେ ଆର୍‌ବିଆଇ ୧-୦ ଗୋଲରେ ଏଜି ଓଡ଼ିଶାକୁ ପରାସ୍ତ କରିଥିଲା। ସେହିଭଳି ଏଜିକୁ ହରାଇ ମୁକ୍ତେଶ୍ବର ଭେଟେରାନ୍‌ ତୃତୀୟ ସ୍ଥାନ ଦଖଲ କରିଥିଲା।

ବିଜେତା ଦଳକୁ ୧୫,୦୦୦ ଟଙ୍କା, ଉପ ବିଜେତାକୁ ୧୦,୦୦୦ ଏବଂ ତୃତୀୟ ସ୍ଥାନ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ। ପ୍ରୀତମ ଚଙ୍ଗିସ୍‌ ଶ୍ରେଷ୍ଠ ମନୋରଂଜନକାରୀ‌ ଖେଳାଳି, ଶ୍ରୀକାନ୍ତ ଶ୍ରେଷ୍ଠ ଷ୍ଟ୍ରାଇକର୍, ପ୍ରସନ୍ନ ପଣ୍ଡା ଶ୍ରେଷ୍ଠ ଗୋଲରକ୍ଷକ, ୱିନ୍ ‌ବ୍ୟୋମକେଶ ନାୟକ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ସ୍ଥିତପ୍ରଜ୍ଞ ସ୍ବାଇଁ ଶ୍ରେଷ୍ଠ ଉଦୀୟମାନ ଗୋଲରକ୍ଷକ, ଆଦିତ୍ୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ, ସଣ୍ଢ ଏଫସି ‌ଶୃଙ୍ଖଳିତ ଦଳ ସମ୍ମାନ ପାଇଥିଲା। ପ୍ରତୀକ ପଟ୍ଟନାୟକଙ୍କ ତତ୍ବାବଧାନରେ ପରିଚାଳିତ ଏହି ୪ ଦିନିଆ ପ୍ରତିଯୋଗିତାରେ ମୋଟ ୪୮ଟି ଦଳ ଭାଗ ନେଇଥିଲେ।