ଭୁବନେଶ୍ବର,ଏନ୍ଏନ୍ଏସ୍: ସନ୍ତୋଷ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ୨୨ତମ ସଂସ୍କରଣ ଶନିବାରଠୁ ଆରମ୍ଭ ହୋଇଛି। ୧୬ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ କଟକର ବିନ୍ଦାସ୍ ଦଳ ବିଜୟୀ ହୋଇଛି। ଏହି ଦଳ ୯ ୱିକେଟ୍ରେ ଭୁବନେଶ୍ବରର ରାମେଶ୍ବର ଏକାଦଶକୁ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ବର ନିର୍ଦ୍ଧାରିତ ୧୨ ଓଭରରେ ୮ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ବୁବୁନ ବିଶ୍ବାଳ ୨୧ ବଲ୍ରୁ ବିସ୍ଫୋରକ ୭୫ ରନ୍ କରିଥିଲେ। ବିନ୍ଦାସ୍ ପକ୍ଷରୁ ରଞ୍ଜନ କୁମାର ୩ ୱିକେଟ୍ ନେଇଥିଲେ। ଜବାବରେ ଅଲ୍ରାଉଣ୍ଡର ରଞ୍ଜନ କୁମାର (୩୭ ବଲ୍ରୁ ୧୦୨*)ଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ବିନ୍ଦାସ୍ ୧୧.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୯୫ ରନ୍ କରିନେଇଥିଲା। ରାମେଶ୍ବରର ବୁବୁନ ବିଶ୍ବାଳ ପ୍ରତିପକ୍ଷର ଏକମାତ୍ର ୱିକେଟ୍ଟି ନେଇଥିଲେ।
ରଞ୍ଜନ କୁମାରଙ୍କୁ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କୈଳାଶ ରାଉତ ଓ ସମ୍ବିତ ପାଇକରାୟ ମ୍ୟାଚ୍ ପରିଚାଳନା କରିଥିଲେ। ସ୍ମୃତିରଞ୍ଜନ ବିଶ୍ବାଳ ରେଫରି ରହିଥିଲେ।