ବଡ଼ଦିନ ଓ ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓମିକ୍ରୋନକୁ ରୋକିବା ଉଦ୍ଦେଶ୍ୟରେ ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହି କଟକଣା ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ହିଁ ସୀମିତ ରହିବ। ବଡ଼ଦିନ ଉତ୍ସବ ଲାଗି କେବଳ ୫୦ଜଣଙ୍କୁ ଅନୁମତି ମିଳିବ। ଉତ୍ସବ ଲାଗି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିବ।ଡିସେମ୍ବର ୩୧ରେ ଜିରୋ ନାଇଟ ସେଲିବ୍ରେସନ ହୋଇପାରିବ ନାହିଁ। ହୋଟେଲ, ପାର୍କ, କ୍ଲବ ଓ ରେସ୍ତୋରାଁ ବନ୍ଦ ରହିବ। ନୂଆବର୍ଷରେ ବଣଭୋଜି ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସେହିପରି ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ ଲଗାଯାଇଛି। କରୋନା କଟକଣା ଭିତରେ ଶେଷକୃତ୍ୟ ସମ୍ପନ୍ନକୁ ଅନୁମତି ଦିଆଯାଇଛି। ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟ ରୋକ ଲଗାଯାଇଛି। ରାଲି, ନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଦରକାର ପଡ଼ିଲେ ଅଧିକ କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି।