ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍କୁଲ ଓ କଲେଜ ସ୍ମାର୍ଟ ହେବା ପରେ ଏବେ ରାଜ୍ୟର ବସ୍ଷ୍ଟାଣ୍ଡଗୁଡ଼ିକ ହେବ ସ୍ମାର୍ଟ। ଜିଲ୍ଲାର ଅଧିକାଂଶ ଉପାନ୍ତ ଇଲାକାକୁ ବି ବସ୍ ଗଡ଼ିବ। ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ୨୨ ଜିଲ୍ଲାରେ ୫୫ଟି ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଗୁରୁବାର ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍ ସଂଯୋଗ କରାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଏହାଦ୍ୱାରା ନୂଆ ବସ୍ଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ପାଇଁ ବେଶ୍ ସହାୟକ ହେବ। ସମଗ୍ର ରାଜ୍ୟରେ ଲୋକଙ୍କୁ ସଂଯୋଗ କରିବାରେ ଏକ ମାଧ୍ୟମ ସାଜିବ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବସ୍ଷ୍ଟାଣ୍ଡରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିବ। ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍ ଡିଜାଇନ କରାଯିବ। ସବୁଠି ଆରାମଦାୟକ ପ୍ରତୀକ୍ଷାଳୟ ଓ ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ। ବିଶେକେରି ଗାଁ ଗହଳି ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ସୁବିଧା ଉପଲବ୍ଧ ରହିବ।
ନୂଆ ବସ୍ ଷ୍ଟାଣ୍ଡଗୁଡ଼ିକର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।