ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଧୁନିକମାନର ଯୁଗପଯୋଗୀ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରର ଖଣ୍ଡଗିରିରେ ‘ପାନ୍ଥିକା’ର ନବକଳେବର ପାଇଁ ପଦକ୍ଷେପ ନିଆଯାଇଛି। ଏହି ପାନ୍ଥିକାରେ ଆଧୁନିକ ସୁବିଧାସୁଯୋଗଯୁକ୍ତ ଉଡେନ୍ କାଫେ ଓ ରେଷ୍ଟୁରାଣ୍ଟ, ବିବାହ ମଣ୍ଡପ ଓ ସେଲଫି ଜୋନ୍ ସମେତ ଅନ୍ୟାନ୍ୟ ଉନ୍ନତମାନ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନବକଳେବର କାର୍ଯ୍ୟରେ ମୋଟ ୧.୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ରାଜ୍ୟକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏବେ ସମଗ୍ର ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଇ ଘରୋଇ ତଥା ଦେଶବିଦେଶର ପର୍ଯଟକଙ୍କ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ପ୍ରଶ୍ନତତ୍ତ୍ୱ ବିଭାଗର ଗାଇଡଲାଇନକୁ ପାଳନ କରି ଖଣ୍ଡଗିରି ପାହାଡ଼ ପାଦଦେଶରେ ଥିବା ‘ପାନ୍ଥିକା’ର ନବକଳେବର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖଣ୍ଡଗିରି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପାନ୍ଥିକାରେ ‘ଉଡେନ୍ କାଫେ’ ସମେତ ଅନ୍ୟାନ୍ୟ ନବକଳେବର ନିଶ୍ଚିତ ଭାବେ ଆକୃଷ୍ଟ କରିବ। ସେହିପରି ପାନ୍ଥିକାର ନବକଳେବର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଓଟିଡିସିର ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ସମେତ ଓଟିଡିସିର ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ।