ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ସତ୍ୟବ୍ରତ ପରିଜା, ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନାଙ୍କୁ ନେଇ ଏକ ୪ ଜଣିଆ ପ୍ରତିନିଧି ଦଳ ସିବିଏସଇର ନବନିଯୁକ୍ତ ଆଞ୍ଚଳିକ ଅଧିକାରୀ କେ. ଶ୍ରୀନିବାସନଙ୍କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ସୌଜନ୍ୟ ମୂଳକ ସାକ୍ଷାତ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲା।
ନୂତନ ଭାବେ ଆଞ୍ଚଳିକ ଅଧିକାରୀ ଯୋଗ ଦେବା ପରେ ମହାସଂଘର ଏହା ପ୍ରଥମ ସାକ୍ଷାତ ଆଲୋଚନା। ସାକ୍ଷାତ ଆଲୋଚନା ସମୟରେ ସିବିଏସଇ ଦଶମ ଓ ଦ୍ୱାଦଶର ଚଳିତ ବର୍ଷ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତର ଖାତା ଗଡ଼ବଡ଼ି ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବେ ଓଡ଼ିଆ ବିଷୟରେ ହୋଇଥିବା ଅସୁବିଧା ଦୂର ପାଇଁ ସେ ସହମତି ପ୍ରକାଶ କରିଥିଲେ। ଏତଦ ବ୍ୟତୀତ ଅନ୍ୟାନ୍ୟ ସମସ୍ୟା, ବିନା ସ୍ୱୀକୃତିରେ ଚାଲୁଥିବା ବେଆଇନ ସ୍କୁଲ, ଏନସିଇଆରଟି ପାଠ୍ୟଖସଡ଼ା ଅନୁଯାୟୀ ପୁସ୍ତକ ପ୍ରଚଳନ, ପିଲାଙ୍କ ଅଯଥା ବସ୍ତାନି ବୋଝ, ଜାଲି ସିବିଏସଇ ସ୍କୁଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ଶିକ୍ଷା ସମ୍ପର୍କିତ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ସମସ୍ତ ସମସ୍ୟା ଅବଗତ ହେବା ପରେ ମହାସଂଘର କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମସ୍ତ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ପ୍ରତିଶୃତି ଦେବା ସହ ଗଠନ ମୂଳକ କାର୍ଯ୍ୟାରେ ମହାସଂଘକୁ ସାମିଲ ସହିତ ତଳ ସ୍ତରରେ ସଠିକ କାର୍ଯ୍ୟକାରୀ ନେଇ ମହାସଂଘର ପରାମର୍ଶ ନେବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ।