ଭୁବନେଶ୍ୱର,ଏନ୍ଏନ୍ଏସ୍: ସବୁ ଦଳ ଭିନ୍ନ ଢଙ୍ଗରେ କରିଥିଲେ ପ୍ରତିବାଦ। ସ୍ୱର ଥିଲା ଶାଣିତ। ସ୍ଥିତି ଥିଲା ବସ୍ତୁତ ‘କାଣ୍ଟେ କା’ ଟକ୍କର ଭଳି। ଗୃହ ଆରମ୍ଭରୁ କଂଗ୍ରେସ କବ୍ଜାରେ ବାଚସ୍ପତିଙ୍କ ପୋଡିୟମ୍ ଥିଲାବେଳେ ବ୍ୟାନର ଓ ପ୍ଲା କାର୍ଡ ଧରି ବିଜେପି ସଭ୍ୟମାନେ ହଙ୍ଗାମା କରିଥିଲେ। ଅପରପକ୍ଷରେ ଜୟୀରାଜଗୁରୁ ମୁଖା ପିନ୍ଧି ବିଜେଡି ସଭ୍ୟମାନେ ଜବାବୀ ହମ୍ଲା କରିଥିଲେ। କେବଳ ଗୃହ ଭିତରେ ନୁହେଁ ବାହାରେ ବି ସ୍ଥିତି ଥିଲା ଉଷ୍ଣ। ଫଳରେ ଶୀତ ଅଧିବେଶନର ପଞ୍ଚମ ଦିନ ବି ଗୃହ ଅଚଳ ହୋଇଥିଲା। ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ହେଁ କିଛି ସୁଫଳ ମିଳିନଥିଲା।
ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ପ୍ଲା କାର୍ଡ଼ ଓ ବ୍ୟାନର ଧରି ଗୃହ ଭିତରକୁ ପ୍ରବେଶ କରିଥିଲେ। କଂଗ୍ରେସ ସଭ୍ୟମାନେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ରହି ଆଗ ବାଚସ୍ପତିଙ୍କ ପୋଡିୟମକୁ କବ୍ଜା କରି ନେଇ ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲେ। ହେଲେ ବିଜେପି ସଭ୍ୟମାନେ ହଙ୍ଗାମା ଭନ୍ନ ଥିଲା। ସେମାନେ ଗୃହ ଭିତରେ ସରକାର ବିରୋଧୀ ଶ୍ଲୋଗାନ ଦେଇ ବ୍ୟାନର ଓ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବିଜେଡି ସଭ୍ୟମାନେ ଗୃହ ଭିତରେ ଅଭିନବ ଉପାୟରେ ବିରୋଧୀ ସଭ୍ୟଙ୍କ ମୁକାବିଲା କରିଥିଲେ। ସରକାରୀ ଦଳର କିଛି ସଭ୍ୟ ମୁହଁରେ ଗୋଟିଏ ଲେଖାଏଁ ମୁଖା ପିନ୍ଧିଥିଲେ। ତାହା ଥିଲା ଦେଶପ୍ରେମୀ ତଥା ପାଇକ ବିଦ୍ରୋହର ପ୍ରମୁଖ ଯୋଦ୍ଧା ଜୟୀ ରାଜଗୁରୁଙ୍କ ମୁଖା । ଜୟୀରାଜଗୁରୁ ମୁଖା ପିନ୍ଧି ସେମାନେ କେନ୍ଦ୍ର ସରକାରଙ୍କ ନୀତିର ପ୍ରତିବାଦ କରିବା ସହିତ ବିରୋଧୀଙ୍କୁ ଜବାବୀ ହମ୍ଲା କରିଥିଲେ। ବିରୋଧୀଙ୍କ ସହ ତାଳ ଦେଇ ସେମାନେ ମଧ୍ୟ ସ୍ଳୋଗାନ ଦେଇଥିଲେ ଓ ପ୍ଳାକାର୍ଡ ଦେଖାଇଥିଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ସଭ୍ୟମାନଙ୍କ ସ୍ୱର ଉଚ୍ଚା ଥିଲା। ସ୍ଳୋଗନ୍-ପ୍ରତିସ୍ଳୋଗାନ, ପ୍ଳାକାର୍ଡ ପ୍ରଦର୍ଶନ-ପ୍ରତି ପ୍ଳାକାର୍ଡ ପ୍ରଦର୍ଶନ ଏବଂ ହଟ୍ଟଗୋଳ-ପ୍ରତି ହଟ୍ଟଗୋଳରେ ଗୃହ ପ୍ରକମ୍ପିତ ହୋଇଥିଲା। ତଫାତ୍ ଏତିକି ଯେ ବିରୋଧୀମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରୁଥିବା ବେଳେ ସରକାରୀ ଦଳର ସଭ୍ୟମାନେ ନିଜ ନିଜର ଆସନ ପାଖରେ ଠିଆ ହୋଇ ପ୍ରତିବାଦ କରୁଥିଲେ। ଏଥିଯୋଗୁଁ ଗୃହ ଆରମ୍ଭରୁ ସର୍ଗରମ ଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ଏବଂ ଶାସକ ବିଜେଡି ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏଭଳି ପ୍ରତିବାଦ କାରଣରୁ ଗୃହ ଚାଲିବା ସମ୍ଭବ ହୋଇପାରି ନଥିଲା। ଫଳରେ ବାଚସ୍ପତି ଡ. ପାତ୍ର ଗୃହକୁ ୧୦ଟା ୩୨ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ବିଧାନସଭାର ଏଭଳି ଅଚଳାବସ୍ଥାକୁ ଦୂର କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିରେ ସମାମିଲ ହୁଅନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଦାବି କରଥିଲେ। ଅପରାହ୍ନ ବୈଠକ ଆରମ୍ଭ ହେବା ପରେ ବାଚସ୍ପତି ଡ. ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସବୁ ଦଳର ପ୍ରମୁଖ ନେତା ଉପସ୍ଥିତ ଥିଲେ। ଏଥିପାଇଁ ଗୃହ ବି ଦୁଇ ପର୍ଯ୍ୟାୟରେ ମୁଲତବୀ ହୋଇଥିଲା। ତେବେ ବୈଠକ ପରେ ବାଚସ୍ପତି ଆସି ଗୃହ ସ୍ୱାଭାବିକ ଭାବେ ଚାଲିବା ନେଇ ମତ ରଖିଥିଲେ। ସେ କହିଥିଲେ, ସର୍ବଦଳୀୟ ବୈଠକ ଆଲୋଚନା ପରେ ଗୃହ ସ୍ୱାଭାବିକ ନେଇ ‘ବାଟ ବହାରୁଛି’। ଏଥିପାଇଁ ସବୁ ଦଳର ନେତାମାନେ ନିଜ ସଭ୍ୟଙ୍କ ସହ ଆଲୋଚନା କରନ୍ତୁ ବୋଲି ପ୍ରକାଶ କରି ଗୃହକାର୍ଯ୍ୟ ଆଗେଇ ନେଇଥିଲେ। ଏହାପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ କାଗଜ ଉପସ୍ଥ।।ପନ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବିରୋଧୀ ପୁଣି ଗୃହ ଭିତରକୁ ଆସି ହଟ୍ଟଗୋଳ କରିଥଲେ। ଗୃହ ଚଳାଇବା ସ୍ଥିତିରେ ନଥିବାରୁ ବାଚସ୍ପତି ମଙ୍ଗଳବାର ସାଢ଼େ ୧୦ ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହର ବାତାବରଣ ଉଷ୍ଣ ଥିଲାବେଳେ ବାହାରେ ସବୁ ଦଳର ନେତାଙ୍କ ଆଭିମୁଖ୍ୟ ଶାଣିତ ଥିଲା। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଉପନେତା ବିଷ୍ଣୁ ଚରଣ ସେଠୀ ଓ ଦଳର ଅନ୍ୟସଭ୍ୟମାନେ କଳା ବ୍ୟାନର ଧରି ପ୍ରତିବାଦ କରିଥିଲେ। ଏହି ମର୍ମରେ ଶ୍ରୀ ସେଠୀ କହିଥିଲେ, ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତୁରନ୍ତ ଇସ୍ତଫା ଦେବା ଦରକାର । ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଘଣ୍ଟଘୋଡ଼ାଇ ରଖିିଛନ୍ତି। ଏହି ଦାବି ଆମେ ଗୃହରେ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଉଛୁ ବୋଲି ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଥିଲେ, ଯେଉଁପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରାଯାଇନାହିଁ, ସେଇ ପର୍ଯ୍ୟନ୍ତ ପ୍ରତିବାଦ ଚାଲୁ ରହିବ। ଅପର ପକ୍ଷରେ ପାଇକ ବିଦ୍ରୋହକୁ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳନଥିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶାସକ ଦଳର ସଦସ୍ୟ। ସେମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଏହି ପ୍ରସଙ୍ଗରେ ବିଜେଡି ନେତା ତଥା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଶାସକ ସଭ୍ୟମାନେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ରୀୟ ଅବହେଳା ପ୍ରତିବାଦ କରିବାର ଅନେକ କାରଣ ରହିଛି। ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଚରମସୀମାରେ ପହଞ୍ଚିଛି। କେବଳ ଓଡ଼ିଶା ନୁହେଁ ନୂଆଦିଲ୍ଲୀରେ ଏହାର ପ୍ରତିବାଦ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।