ବାତ୍ୟା ଜୱାଦ ପ୍ରଭାବ: ଦକ୍ଷିଣରେ କମିବ, ଉତ୍ତରରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ। ବର୍ତ୍ତମାନ ଉତ୍ତର-ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ। ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ। ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଯାଏଁ ସବୁଠି ଅତି ପ୍ରବଳ ବର୍ଷା ହୋଇଛି।

ସେହିପରି ଉପକୂଳ ଜିଲ୍ଲାରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହୁଛି। ପରବର୍ତ୍ତୀ ସମୟରେ ବର୍ଷା ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବଢିବ। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି।

ଗଞ୍ଜାମ ଖଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଛି। ନୟାଗଡରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬ ମିମି, ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟା ଜୱାଦ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।