ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ପୃଥ୍ୱୀରାଜ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ଐତିହାସିକ ଗବେଷଣା ପରିଷଦ(ଆଇସିଏଚ୍‌ଆର) ମତାମତ ଆଧାରରେ ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ। ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନ ଉପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରି ଜି. କିଷନ ରେଡ୍ଡି ସଂସଦରେ ଏଭଳି ଲିଖିତ ଉତ୍ତର ରଖିବା ପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସିରିଜ୍ ଟ୍ୱିଟ୍ କରି ଶ୍ରୀ ହରିଚନ୍ଦନ ଲେଖିଛନ୍ତି ଯେ ପାଇକ ବିଦ୍ରୋହକୁ ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅଣଓଡ଼ିଆ ସରକାରଙ୍କର ଗତ ପାଞ୍ଚବର୍ଷ ଭିତରେ କେବେ କିଛି ଭୂମିକା ନଥିଲା। ଆଜି ଆସିଗଲେ ରାଜନୀତି କରିବାକୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରମାଗତ ଉଦ୍ୟମ ଓ ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଦ୍ୱାରା ଏବଂ ଜାତୀୟ ସାମରିକ ପରମ୍ପରା ସଂସ୍କୃତି ପରିଷଦର ଚେଷ୍ଟାରେ ଏହା ସମ୍ଭବ ହେଲା। ପାଇକ ବିଦ୍ରୋହର ଦ୍ୱିଶତ ବର୍ଷ ପାଳନ ପାଇଁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଆମ ସାମରିକ ପରମ୍ପରା ପରିଷଦ ଓ ରାଜ୍ୟର କିଛି ସାମାଜିକ ସଂଗଠନ ମିଶି ବିରାଟ ଆୟୋଜନମାନ କରି ଏହାକୁ ଚର୍ଚାର ବିଷୟ କରାଇ ପାରିଲୁ,କିନ୍ତୁ ଦୁର୍ଭାଗ୍ୟକୁ ରାଜ୍ୟ ସରକାରଙ୍କର କିଛି ଭୂମିକା ରହିଲାନି। କିଛି କଲେନାହିଁ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ ଜାରି ରଖିଲେ।

ଇତିହାସର ଅତଳ ଗର୍ଭରେ ଲୁଚିଯିବା ପୂର୍ବରୁ ପାଇକ ବିଦ୍ରୋହର ଇତିହାସକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ଏବଂ ସଂଗ୍ରାମୀ ପରିବାରଙ୍କୁ ସମ୍ମାନିତ କରାଇବା ତଥା ରାଷ୍ଟ୍ରପତିଙ୍କ ମୁହଁରେ ଏହାର ମାନ୍ୟତା ଦେବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପ୍ରଶଂସନୀୟ। ଆମେ ଉଭୟ ସରକାରଙ୍କ ପାଖରେ ତିନୋଟି ଦାବି କରିଥିଲୁ। ପ୍ରଥମରେ ଓଡ଼ିଶା ଇତିହାସର ପୁନର୍ଲିଖନ। ଦ୍ୱିତୀୟରେ ପାଇକ ବିଦ୍ରୋହର ଅନନ୍ୟ ଇତିହାସକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଏବଂ ତୃତୀୟରେ ପାଇକ ବିଦ୍ରୋହ ସ୍ମାରକୀ ତିଆରି ହେବ। ତତ୍କାଳୀନ ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭେଦକର ଆମର ଏକ କାର୍ଯ୍ୟକ୍ରମରେ ଘୋଷଣା କଲେ ଯେ ପାଇକ ବିଦ୍ରୋହକୁ ଇତିହାସ ପାଠ୍ୟକ୍ରମରେ ସାମିଲ କରାଯିବ ଓ ତାହା କରାଗଲା ମଧ୍ୟ।

ସେ ଆହୁରି ଲେଖିଛନ୍ତି ଯେ ପାଇକ ବିଦ୍ରୋହର ଅନ୍ୟ ଏକ ସ୍ମାରକୀ ହେବାପାଇଁ ମହାମହିମ ରାଷ୍ଟ୍ର୍ରପତି ଶିଳାନ୍ୟାସ କରିବାର ଦୁଇବର୍ଷ ପରେ ମଧ୍ୟ ଅବରୋଧମୁକ୍ତ ଜାଗା ଖଣ୍ଡେ ଦେଇ ପାରିଲେନି ରାଜ୍ୟ ସରକାର। କେନ୍ଦ୍ର ସରକାର ଓ ପେଟ୍ରୋଲିୟମ ବିଭାଗ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ଦେଇଥାନ୍ତେ, କିନ୍ତୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପୂରା ଉଦାସୀନ ଓ ଅବହେଳା ପ୍ରକଟ କରିଚାଲିଛନ୍ତି। ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଲା, ଓଡ଼ିଶାର ବୀରତ୍ୱ ଭରା ଇତିହାସର ପୁନର୍ଲିଖନ ପାଇଁ ରାଜ୍ୟ ସରକାର କିଛି ଉଦ୍ୟମ କଲେନାହିଁ।

ଓଡ଼ିଆ ଐତିହାସିକମାନଙ୍କୁ ନେଇ ଇତିହାସ ଓ ବିଦ୍ରୋହର ବିଭିନ୍ନ ଘଟଣାବଳୀକୁ ପ୍ରାମାଣିକତା ଦେବା ଓ ଇଣ୍ଡିଆନ ହିଷ୍ଟ୍ରି କାଉନସିଲ୍ ପାଖରେ ନିଜର ଦାବି ଉପସ୍ଥାପନ କରିବାର ପ୍ରକ୍ରିୟାକୁ କାହିଁକି ହେଳା କରିଚାଲିଛନ୍ତି ସରକାର। ଜାତିର ଗୌରବର କଥାକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ। ରାଜ୍ୟ ସରକାର ଏ ବିଷୟକୁ ନେଇ ରାଜନୀତି ବନ୍ଦ କରନ୍ତୁ। ଇତିହାସ ପୁନର୍ଲିଖନର ବ୍ୟବସ୍ଥା ତୁରନ୍ତ ଆରମ୍ଭ କରାଯାଉ ଏବଂ ବରୁଣେଈ ପାହାଡ ଠାରେ ବିଦ୍ରୋହ ସ୍ମାରକୀ ପାଇଁ ତୁରନ୍ତ ଜମି ଦିଅନ୍ତୁ। ଏହାର ବ୍ୟତିକ୍ରମ ହେଲେ ଓଡ଼ିଆ ଜାତିର ରୋଷର ଶିକାର ହେବେ ସରକାର ବୋଲି ଶ୍ରୀ ହରିଚନ୍ଦନ ଚେତାଇ ଦେଇଛନ୍ତି।