ଭୁବନେଶ୍ୱର,ଏନ୍ଏନ୍ଏସ୍: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ଵରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ଵାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ। ତାଙ୍କ ସହିତ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ମଧ୍ୟ ପରିଦର୍ଶନ କରିଥିଲେ।
ବଜାରରେ ‘ବୟନିକା’ ବ୍ୟତୀତ ୧୪ଟି ବୟନମଣ୍ଡଳର ୩୩ଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧି ସିଲ୍କ ଶାଢ଼ି, ବମକେଇ ଶାଢ଼ି, ବରଗଡ଼ ଜିଲ୍ଲାର କଟନ୍ ବାନ୍ଧ ଶାଢ଼ି, ବେଡ଼ସିଟ୍, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ ଶାଢ଼ି, କଟକ ଗୋପାଳପୁରର ଟସର ବସ୍ତ୍ର, ବ୍ରହ୍ମପୁର ସୂତା ଶାଢ଼ି ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବସ୍ତ୍ର ଇତ୍ୟାଦି ଉପଲବ୍ଧ ହେଉଛି ଏତଦ୍ବ୍ୟତୀତ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଉତ୍ପାଦିତ ବସ୍ତ୍ର ପ୍ରଦର୍ଶିତ କରାଯାଇଛି। ମନ୍ତ୍ରୀ ଶ୍ରୀମତୀ ଦିଆନ୍ ଓ ବିଭାଗୀୟ ଶାସନ ସଚିବ ପ୍ରତ୍ୟେକ ଷ୍ଟଲ ବୁଲି ବୁଣାକାରମାନେ ପ୍ରସ୍ତୁତ କରିଥିବା ନୂତନ ଡିଜାଇନର ବସ୍ତ୍ରଗୁଡ଼ିକ ଦେଖୁବ। ସହିତ ନୂତନ ଡିଜାଇନ୍ର ବସ୍ତ୍ର ବୁଣି ବୁଣାକାରମାନେ ଅଧିକ ଉପାର୍ଜନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ଉପରୋକ୍ତ ୩୩ଟି ସମିତି ବ୍ୟତୀତ ଏକାମ୍ର କୁଟୀରରେ ଅନ୍ୟ ୪୪ଟି ପ୍ରାଥମିକ ସମିତି/ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ବଜାରରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟହ ଏହି ହସ୍ତତନ୍ତ ବଜାରକୁ ଦର୍ଶକ ଓ ଗ୍ରାହକମାନେ ଆସି ସେମାନଙ୍କର ଆବଶ୍ୟକୀୟ ବସ୍ତ୍ର କ୍ରୟ କରୁଛନ୍ତି। ଡିସେମ୍ବର ୧ ତାରିଖ ସୁଦ୍ଧା ହସ୍ତତନ୍ତ ବଜାରରେ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରୟ ହୋଇଛି। କରୋନା ପରବର୍ତୀ ସମୟରେ ଆୟୋଜିତ ହୋଇଥିବା ଏହି ହସ୍ତତନ୍ତ ବଜାର ବୁଣାକାରମାନଙ୍କର ଗଚ୍ଛିତ ଲୁଗା ବିକ୍ରି ହେବାରେ ସହାୟକ ହୋଇଛି ବୋଲି ଅଂଶଗ୍ରହଣକାରୀ ବୁଣାକାରମାନେ ମତ ଦେଇଛନ୍ତି।