ଝାରସୁଗୁଡା,ଏନ୍ଏନ୍ଏସ୍: ୫ ଦଫା ଦାବି ନେଇ ଝାରସୁଗୁଡା ଜିଲ୍ଲାର ୩୨ଟି ସମବାୟ ସମିତିର କର୍ମଚାରୀମାନେ ୩ ଦିନ ହେଲାଣି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ଏହି ଆନ୍ଦୋଳନକୁ ଆଜି ଝାରସୁଗୁଡା ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି। କୃଷକ ସଂଗଠନ ପକ୍ଷରୁ ସଭାପତି ଦିଲ୍ଲୀପ ବଢେଇ, ଉପସଭାପତି ତୁଳାରାମ ସେନାପତି, ଶରତ କୁମାର ପଲେଇ, ସମବାୟ ସମିତିରେ ଉପଦେଷ୍ଟା ବିରଞ୍ଚି ସାହୁ ପ୍ରମୁଖଙ୍କ ସହ ଜିଲ୍ଲା କୃଷକ ସଂଗଠନର ସଦସ୍ୟମାନେ ଧାରଣାସ୍ଥଳକୁ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।
ପ୍ରକାଶଯୋଗ୍ୟ ଯେ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୨କୁ ରଦ୍ଦ କରି ଏହି ପଦବୀରେ ସମସ୍ତ ସେବା ସମବାୟ ସମିତି କର୍ମଚାରୀମାନଙ୍କୁ ଅବସ୍ତାପିତ, ଚାଷୀ ଧାନ କ୍ରୟ ବିକ୍ରୟ ପଞ୍ଜିକରଣ ଓ ଧାନ କ୍ରୟକୁ ନେଇ ଦୋଷାରୋପ କରି ସମ୍ପାଦକ ଓ ଡିଇଓମାନଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦାନ କରଇବା, ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସମ୍ପାଦକ, ସହ ସମ୍ପାଦକ, ପିଅନ, ଜଗୁଆଳୀ ଓ ଡିଇଓ ମନାଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରି ଆରସିଏସ(ଓ)ଙ୍କ ପତ୍ର ହିସାବରେ ସମସ୍ତ କର୍ମଚାରୀଙ୍କୁ ସ୍କେଲ ଦରମା ପ୍ରଦାନ କରିବା, ସମବାୟ ବିଭାଗର ଏଚଆର ପୁଲିସ ୨୦୧୧ ଅନୁସାରେ ସେବା ସମବାୟ ସମିତି କର୍ମଚାରୀଙ୍କୁ ପଦୋନ୍ନତି କରାଇବା, ସରକାରଙ୍କ ସପ୍ତମ ବେତନ କମିଶନ ହିସାବରେ ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରି କର୍ମଚାରୀମାନଙ୍କୁ ବର୍ଦ୍ଧିତ ଡିଏ, ଇନକ୍ରିମେଂଟ ତଥା ଅବସରକାଳୀନ ସମସ୍ତ ସୁବିଧା ଯୋଗାଇ ଦେବା ଦାବିରେ ଝାରସୁଗୁଡା ଜିଲ୍ଲାର ୩୨ଟି ସେବା ସମବାୟ ସମିତିର କର୍ମଚାରୀମାନେ ଗତ ୨୯ ତାରିଖରୁ ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନଶନ କରୁଛନ୍ତି।