ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରକାଶ ପାଇଛି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଫଳାଫଳ। ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡିଶାର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ତୁଳନାରେ ଶିଶୁଙ୍କର ଟୀକାକରଣ କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ହୋଇଛି।
ରାଜ୍ୟରେ ୯୦.୭୫ ପ୍ରତିଶତ ଶିଶୁଙ୍କର ସଂପୂର୍ଣ୍ଣ ଟୀକାକରଣ କରାଯାଇଛି। ଉପଯୁକ୍ତ ପୋଷଣ ଅଭାବରୁ ବୟସାନୁପାତରେ ଉଚ୍ଚତା କମ୍ ରହୁଥିବା ପିଲାଙ୍କ ସଂଖ୍ୟା ଗତ ଫଳାଫଳ ଅନୁସାରେ ଚଳିତ ଥର ୩.୧ ପ୍ରତିଶତ କମିଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ସମ୍ଭାବନା ଥିବା ଶିଶୁଙ୍କ ପ୍ରତିଶତ ୨.୩କୁ ହ୍ରାସ ପାଇଛି। କମ୍ ଓଜନ ଶିଶୁଙ୍କ ସଂଖ୍ୟା ୪.୭ ପ୍ରତିଶତ କମିଥିବା ଜଣାପଡିଛି। ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଶିଶୁ ଜନ୍ମପରେ ପ୍ରଥମ ସ୍ତନ୍ୟପାନ କରିଥିବା ଶିଶୁଙ୍କ ସୂଚକାଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ରେ ୬୫.୬ ଥିବା ବେଳେ ସର୍ବେକ୍ଷଣ-୫ରେ ଏହା ୭୨.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପଟେ ପରିପୂରକ ପୋଷକ ୫୪.୯ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଛି। ଆବଶ୍ୟକ ପରିମାଣରେ ଖାଦ୍ୟ ଗ୍ରହଣ କରୁଥିବା ୬ରୁ ୨୩ ମାସର ଶିଶୁଙ୍କ ପ୍ରତିଶତରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ରିପୋର୍ଟରୁ ଜଣାପଡିଛି।