ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮୧ ଡାକ୍ତରଙ୍କୁ ମିଳିବ ନିଯୁକ୍ତି। ଏଥିରେ ଅନୁସୂଚୀତ ଜାତି ପାଇଁ ୪୭ ଓ ଅନୁସୂଚୀତ ଜନଜାତି ପାଇଁ ୩୪ ପଦବୀ ସଂରକ୍ଷିତ ହୋଇଛି। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲିଥିବା ଓଡ଼ିିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା (ଓଏମ୍ଏଚ୍ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡ଼ିିଶା ରାଜ୍ୟ ପବ୍ଲିକ୍ ସର୍ଭିସ କମିସନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସ୍ସି ଦ୍ୱାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଭିତ୍ତିରେ ପ୍ରାର୍ଥୀମାନେ ‘ଇ-କାଉନସେଲିଂ’ରେ ଯୋଗ ଦେଇଥିଲେ। ଏହି ଅଧାରରେ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ।
ସଂପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଫଳରେ ରାଜ୍ୟରେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ।