ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଫେଇକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ, ମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅହେତୁକ ଓ କ୍ରମାଗତ ନିରବତା ‘ମାଆକୁ ସମ୍ମାନ’ ନାରା ପ୍ରତି ଚରମ ଅପମାନ। ମମିତାଙ୍କୁ ନ୍ୟାୟ ନମିଲେ, ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ। ମମିତାଙ୍କ ପରିବାରବର୍ଗ ହାଇକୋର୍ଟର ଦ୍ୱାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଓ ତ୍ୱରିତ ନ୍ୟାୟ ନିମନ୍ତେ ପ୍ରାର୍ଥନା କରିବା ପରେ ମନ୍ତ୍ରୀ ମିଶ୍ରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାମ୍ବାଦିକ ସମ୍ମିଳନୀରେ ପଦ୍ମାକର ଦର୍ଶାଇଛନ୍ତି। ଅପରାଧୀ ଅପରାଧ କରିନାହିଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ସେ ତାତ୍ସଲ୍ୟ କରିଛନ୍ତି।
ମନ୍ତ୍ରୀଙ୍କର ଅସଲ ମୁଖାର ପର୍ଦ୍ଦାଫାସ ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଯେଉଁ ସମୟରେ ମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ମୁହଁ ଖୋଲିବା କଥା, ସେ ସମୟରେ ନକରି ଯେଉଁ ଅପରିଣାମଦର୍ଶିତା ଓ ମୂର୍ଖାମୀର ପରିଚୟ ଦେଲେ, ଏହାଦ୍ୱାରା ନା ସେ ପାପକୁ ଧୋଇପାରିବେ ନା ରାଜ୍ୟବାସୀ ଓ ପ୍ରଭୁ ତାଙ୍କୁ କ୍ଷମାଦେବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର। କାଳବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଯଦି ମନ୍ତ୍ରୀଙ୍କର ସତ୍ସାହସ ଅଛି, ତେବେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ନିଜର ପକ୍ଷରଖନ୍ତୁ ଏବଂ ନିଜକୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟରେ ଲିଖିତ ଆବେଦନ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି ପଦ୍ମାକର।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ଶୁଭଶ୍ରୀ ପଣ୍ଡା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।