ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୩ କରୋନା ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୬୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୪ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୧୦ ରହିଛି। ଅନ୍ୟପଟେ ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୧ ଜଣ ଓ ଯାଜପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ମୟୂରଭଞ୍ଜରୁ ଜଣେ ଅଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୯୬୨ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୩୩ ହଜାର ୬୫୨ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨,୮୮୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୮୩୭୩ ଜଣଙ୍କର ମୃତ୍ୟୁ ହୋଇସାରିଛି।