ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିରେ ୨୦୨୨ ଜାନୁଆର ସୁଦ୍ଧା ୧୮ ବର୍ଷ ହେଉଥିବା ସମସ୍ତେ ସାମିଲ ହୋଇପାରିବେ। ଏହି ସମୟରେ ଯୋଗ୍ୟ ଭୋଟର ନାଁ ଯୋଡ଼ିବା, କାଟିବା ଓ ତ୍ରୁଟି ସଂଶୋଧନ କରିପାରିବେ। ପୂର୍ବରୁ ଏହି ପ୍ରକ୍ରିୟା ଅଫଲାଇନରେ କରାଯାଉଥିବାବେଳେ ଏଥର ଅନଲାଇନରେ କରାଯିବ। ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଏହି ସଂଶୋଧନ କରାଯିବ। ସେଥିରେ ପରିଚୟ ପ୍ରମାଣ ପତ୍ର ଏବଂ ଠିକଣା ଲେଖି ଆବେଦନ କରିବେ। ଅନଲାଇନରେ ଆବେଦନ ପରେ ଫିଲ୍ଡ ଷ୍ଟାଫ ଯୋଗାଯୋଗ କରିବେ। ଏହାପରେ ସରକାରୀ ଅଧିକାରୀ କାର୍ଡ ଯୋଗାଇବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ସୁଶୀଲ ଲୋହାନୀ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ଜଣେ ବି ଭୋଟର ବାଦ୍ ନ ପଡ଼ିବା ଆମର ଲକ୍ଷ୍ୟ। ନଭେମ୍ବର ୭ କିମ୍ବା ୨୧ ରବିବାର ଦିନ ଏନେଇ ସ୍ପେଶାଲ ଡ୍ରାଇଭ କରାଯିବ। ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହି ପ୍ରକ୍ରିୟା ମାସକ ପାଇଁ ଚାଲିବ। ମାସକ ମଧ୍ୟରେ ସମସ୍ତେ ସଂଶୋଧନ ପାଇଁ ଆବେଦନ କରିପାରିବେ। ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ। ୨ଟି ଭୋଟର ଆଇଡି ଥିବା ୧ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ୍ ଦ୍ୱାରା ବାଦ ଦିଆଯାଇଛି।