ଏଣିକି ସଭା ସମିତିରେ ପ୍ଲାଷ୍ଟିକର ବିକଳ୍ପ ଦେଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରଙ୍କ ପ୍ରତି ଜନସାଧାରଣଙ୍କ ଥିବା ଆଶା ଓ ଭରସାକୁ ପୂରଣ କରିବା ଦିଗରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ଅଧିକ ନିଷ୍ଠା, ପ୍ରତିବଦ୍ଧତାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ଅଧିକାରୀମାନଙ୍କୁ ବିଭାଗରେ ଥିବା ବିଭିନ୍ନ ପୁରୁଣା ଫଟୋ, ଚଳଚ୍ଚିତ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ଆଦିର ଡିଜିଟାଲ ସଂରକ୍ଷଣ ପାଇଁ ଆବଶ୍ୟକ ସହଯୋଗ କରିବା, ଇ-ପାଠାଗାର ସ୍ଥାପନ ଓ ପରିଚାଳନା ଏବଂ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ ହେବା ସହିତ ୫-ଟି ଆଧାରରେ ତ୍ୱରିତ କାର୍ଯ୍ୟ ନିର୍ବାହ କଲେ ବିଭାଗୀୟ କାର୍ଯଶୈଳୀରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି।

ଏଥିରେ ବିଭାଗୀୟ କମିଶନର ସଞ୍ଜୟ କୁମାର ସିଂହ କହିଲେ ଯେ, ଅଧୁନା ସୂଚନା ଓ ସମ୍ବାଦ ସରବରାହ କ୍ଷେତ୍ରରେ ଗଣମାଧ୍ୟମରେ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି। ରାଜ୍ୟ ସରକାର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନେଇ କଟକଣା ଜାରି କରିଥିବା ବେଳେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଥିବା ସମସ୍ତ ସଭା, ସମିତିରେ ପ୍ଲାଷ୍ଟିକ୍ ନିର୍ମିତ ଗ୍ଲାସ, ପାଣି ବୋତଲ ଆଦି ବ୍ୟବହାର ନ କରାଯାଇ ପ୍ରତି ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠିତ ସମ୍ମିଳନୀର ଥିିମ୍ ଥିଲା- “ଲୋକସମ୍ପର୍କ ବିଭାଗୀୟ କାର୍ଯ୍ୟର ପରିସରର ବ୍ୟାପକତା ତଥା ପ୍ରଗତିଶୀଳତା’। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏହି ପରିପ୍ରେକ୍ଷୀରେ ବିଭାଗୀୟ କାର୍ଯ୍ୟକୁ ଉପଖଣ୍ଡରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁ ଦୃଷ୍ଟିକୋଣରୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଲୋକ ସମ୍ପର୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବଙ୍କ ପରାମର୍ଶ କ୍ରମେ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ପ୍ରମୋଦ କୁମାର ମଲ୍ଲିକ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା, ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ବିଭାଗର ବିଭିନ୍ନ ଶାଖାର ଉପବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।