ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଆସନ୍ତାକାଲି ସଂଧ୍ୟାରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୯୫ କିମି ପର୍ଯ୍ୟନ୍ତ ହେବ। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ଛୋଟ ଛୋଟ ଗଛ ଉପୁଡ଼ିପାରେ। ୨୬ ଓ ୨୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜିଠାରୁ ୨୭ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେହିପରି ବାତ୍ୟା ପ୍ରଭାବରେ ୭ଟି ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ଅଧିକ ବର୍ଷା ଓ ଅଳ୍ପ ପବନ ହେବ। ବର୍ଷା ପରିମାଣ କାଲି ଓ ପଅରଦିନ ଅଧିକ ରହିବ। ସମ୍ଭାବ୍ୟ ବାତ୍ୟା ନେଇ କାଲିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହିତ ଓଡ୍ରାଫର ୪୨ ଓ ଏନଡିଆରଏଫର ୨୪ଟି ଟିମ୍ ମୁତୟନ କରାଯିବ। ପ୍ରବଳ ବର୍ଷା ଯୋଗୁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।