ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି।

କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲେ ହେଁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବ। ପିଜି/ୟୁଜି ପରୀକ୍ଷା ଅନଲାଇନରେ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ।