ରାଜଧାନୀରେ ଥମିବାର ନାଁ ନେଉନି ଡେଙ୍ଗୁ: ସପ୍ତାହକରେ ୩୨୨ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଥମିବାର ନାଁ ନେଉନି ଡେଙ୍ଗୁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ପ୍ରତିଦିନ ଡେଙ୍ଗୁ ରୋଗୀ ଘରୋଇ ଡାକ୍ତରଖାନା ଏବଂ କ୍ଲିନିକ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଗୁରୁବାର ବିଏମସି ଅଞ୍ଚଳରୁ ୩୪ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୭୯୫ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।

ସେହିପରି ଯେଉଁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଘରକୁ ବିଏମ୍‌ସି ସ୍ୱାସ୍ଥ୍ୟ ଟିମ୍ ଯାଇ ଯାଞ୍ଚ କରୁଛନ୍ତି। ବିଏମସି ଟିମ୍ ୬୮୯୦ ଘରକୁ ଯାଇ ୨୮୯୩୬ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଅନେକ ସ୍ଥାନରୁ ମଶା ମଧ୍ୟ ନଷ୍ଟ କରାଯାଉଛି। ଏହାସହିଚ ଲୋକଙ୍କୁ ସଚେତନ କରିବା ପାଇଁ ବିଏମସି ପକ୍ଷରୁ ଅଭିଯାନ ଜାରି କରାଯାଇଛି। ମାତ୍ର ମଶା ମରା ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ କେବଳ ଡେଙ୍ଗୁ ନୁହେଁ ମାଲେରିଆ ଜ୍ୱରରେ ମଧ୍ୟ ଅନେକ ଲୋକ ପୀଡିତ ହେଉଛନ୍ତି।