ଅନୁଗୁଳ,ଏନ୍ଏନ୍ଏସ୍: କରୋନା ଶହ ଶହ ଜୀବନ ନେଲାଣି ହେଲେ ଫିତା କଟାକୁ ନେଇ ଲୋକ ପ୍ରତିନିଧିଙ୍କ ଫୁଲ୍ ରାଜନୀତି। ଉଦଘାଟନ କାହିଁକି ବିଧାୟକ କରିଦେଲେ ସାଂସଦ କଲେନି ତାହାକୁ ନେଇ ଏକ ହାଇଡ୍ରାମା ଦେଖିଛନ୍ତି ଅନୁଗୁଳବାସୀ। କୋଭିଡ କେୟାର ସେଣ୍ଟର ହେଉଛି କରୋନା ରୋଗୀଙ୍କ ସେବା ପାଇଁ କିନ୍ତୁ ସାଂସଦ କହିଲେ ରାଜନୀତି କରନି।
ସୂଚନାନୁସାରେ, ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ପ୍ରତି ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦଘାଟନ ପାଇଁ ପ୍ରଶାସନ ସକାଳ ସାଢ଼େ ୧୦ଟା ବେଳେ ସମୟ ଧାର୍ଯ୍ୟ କରିଥିଲା। ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ମୌଖିକ ଭାବେ ସୂଚନା ଦିଆଯାଇଥିଲା। ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଠିକ୍ ସମୟରେ ପହଞ୍ଚିଥିବା ବେଳେ ସାଂସଦ ମହେଶ ସାହୁ ବିଳମ୍ବରେ ପହଞ୍ଚିଥିଲେ। ତେବେ ସାଂସଦଙ୍କୁ ଅପେକ୍ଷା ନକରି ବିଧାୟକ କୋଭିଡ୍ କେୟାର ସେଣ୍ଟରର ଉଦଘାଟନ କରି ଦେଇଥିବାରୁ ଏହା ଦେଖି ସାଂସଦ ରାଗିଯାଇଥିଲେ।
କ୍ରୋଧ ସମ୍ଭାଳିନପାରି ସାର୍ବଜନୀନରେ ବିଧାୟକ ଓ ସାଂସଦ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ପ୍ରତି ଅଶ୍ରାବ୍ୟ ଭାଷା ବ୍ୟବହାର କରି ଗାଳିଗୁଲଜ କରିଛନ୍ତି। ଏଠାରେ ପ୍ରଶ୍ନ ଉଠିଛି ଯେ, ଯଦି ଲୋକ ପ୍ରତିନିଧି ଲୋକଙ୍କ ସେବା ପାଇଁ ରହିଛନ୍ତି, ତାହେଲେ କରୋନା ଭଳି ମହାମାରୀ ସମୟରେ କିଭଳି ରାଜନୀତି କଥା ଭାବୁଛନ୍ତି।