ଏନଟିପିସି ଦ୍ୱାରା ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲାରେ କୋଭିଡ-୧୯ ସଂକ୍ରମିତଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏନ୍‌ଟିପିସି ଦ୍ୱାରା ଓଡ଼ିଶାର ସୁନ୍ଦରଗଡଠାରେ ରେକର୍ଡ ସମୟ ମଧ୍ୟରେ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇବା ସହିତ, ଏନଟିପିସି ୨୦ଟି ଭେଣ୍ଟିଲେଟର ପ୍ରଦାନ କରି ଏହି ସୁବିଧାକୁ ଉନ୍ନତ କରିଛି। ଯାହା ଅନେକ ଗୁରୁତର ରୋଗୀଙ୍କର ଚିକିତ୍ସା ନିମନ୍ତେ ସହାୟକ ହୋଇଅଛି। ଅଧିକାଂଶ ଗୁରୁତର ରୋଗୀଙ୍କର ଚିକିତ୍ସାର ଚାହିଦାକୁ ଦୃଷ୍ଟିରେ ରଖି ଏନଟିପିସି ଏହି ହସ୍ପିଟାଲକୁ ଅତିରିକ୍ତ ୪୦ଟି ଭେଣ୍ଟିଲେଟର ସହିତ ୧୫୦ଟି ଅମ୍ଳଜାନ ସିଲିଣ୍ଡର ମଧ୍ୟ ଯୋଗାଉଛି ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିମନ୍ତେ ମେଡିକାଲ ଅମ୍ଳଜାନ ଉତ୍ପାଦନ କାରଖାନା (ଯିଏସଏ ଧରଣର) ସ୍ଥାପନ କରୁଅଛି। ଝାରସୁଗୁଡ଼ା ଜିଲ୍ଲାର ଦଲିପାର୍ଲି, ରାଇଡିହି ଏବଂ ରାଇବୋଗାଠାରେ ୪୫ ବର୍ଷ ବୟସରୁ ଊର୍ଦ୍ଦ୍ୱ ଏବଂ ୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କୁ ୧୦ ହଜାର ଟିକା ଡୋଜ ମଧ୍ୟ ପ୍ରଦାନ କରାଯାଇଛି।

ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକରେ, ଏନଟିପିସି ଦ୍ୱାରା ଚିକିତ୍ସାର ସୁବିଧା ବୃଦ୍ଧି ନିମନ୍ତେ ଡ୍ରାଇଭର ସହିତ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ କୋଭିଡ ପରୀକ୍ଷା ନିମନ୍ତେ ୧୦ ହଜାର ରାପିଡ ଆଣ୍ଟିଜେନ୍ ଟେଷ୍ଟ କିଟ ଏନଟିପିସି ଦ୍ୱାରା ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଅଛି। ଏନଟିପିସି କଣିହାଁ ଦ୍ୱାରା ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ଏବଂ ବନ୍ତଳ, ସନ୍ଥପଡା, ଜଗନ୍ନାଥପୁର ଏବଂ ଗୁରୁଜାଙ୍ଗୁଳି ଇତ୍ୟାଦି ଗ୍ରାମଗୁଡିକରେ ମଧ୍ୟ ବିସ୍ତୃତ ଭାବେ ପରିମଳ କାର୍ଯ୍ୟକ୍ରମ କରାଯାଉଛି। କଣିହାଁ ବ୍ଲକରେ ଏକତାଲ ଗ୍ରାମର ନିକଟବର୍ତ୍ତୀ ସ୍କୁଲଗୁଡିକ ପାଇଁ ଅଟୋ ସାନିଟାଇଜର ସ୍ଥାପନ ଏବଂ କୋଭିଡ-୧୯ ପ୍ରଭାବିତ ପରିବାରଗୁଡିକ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଣ ମଧ୍ୟ ଏନଟିପିସି ଦ୍ୱାରା ଜିଲ୍ଲା ପ୍ରଶାସନ ମାଧ୍ୟମରେ କରାଯାଉଛି। ସେହିପରି ଆପୋଲ ହସ୍‌ପିଟାଲ ସହିତ ଅନୁବନ୍ଧିତ ହୋଇ ଲୋକମାନଙ୍କ ନିମନ୍ତେ ଟେଲିମେଡିସିନ ସୁବିଧା ପ୍ରଦାନ କରାଯାଉଛି।