ବାତ୍ୟା ପରେ ୧୨ ଜିଲ୍ଲାରେ ବ୍ୟାପକ ହେବ ସର୍ଭେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉତ୍ତର ଉପକୂଳରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ଅଣ୍ଟା ସଳଖୁଛନ୍ତି ଉପକୂଳବାସୀ। ଧୀରେ ଧୀରେ ପବନର ବେଗ କମିବା ପରେ ଏବେ ଉପକୂଳବାସୀଙ୍କ ସ୍ୱାସ୍ଥ୍ୟ କଥା ସରକାରଙ୍କ ଚିନ୍ତା ବଢ଼ାଇଛି। ଗୋଟିଏ ପଟେ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ୧୨ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଉପରେ କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବାତ୍ୟା ୟାସ୍’କୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆ ଯାଇଥିଲା। ମହାମାରୀ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବାତ୍ୟା ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌) ପ୍ରଦୀପ୍ତ କୁମାର ମହାପାତ୍ର ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ବର୍ତ୍ତମାନ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାବେଳେ ସ୍ଥିତି ସ୍ୱାଭାବିକ ହେବା ପରେ ଲୋକେ ଘରକୁ ଫେରିଛନ୍ତି। ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ସଂଖ୍ୟାଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ଘରକୁ ଫେରିବେ। ଏହି ମଧ୍ୟରେ ଆଗାମୀ ସପ୍ତାହରେ ଯଦି କାହାରିଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି କିମ୍ବା ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହୁଛି, ତାହେଲେ ଟେଷ୍ଟ କରନ୍ତୁ। ସମ୍ପୃକ୍ତ ୧୨ ଜିଲ୍ଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କ ସର୍ଭେ କରାଯିବ। ରାଜ୍ୟ ସରକାର ସଦା ସର୍ବଦା ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଛନ୍ତି। ତେଣୁ ନିଜ ସାମାଜିକ ଦାୟିତ୍ୱବୋଧକୁ ଦୃଷ୍ଟିରେ ରଖି ଲକ୍ଷଣ ଥିଲେ ପରୀକ୍ଷା କରାଇନିଅନ୍ତୁ ବୋଲି ଏସିଏସ୍ ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଥିବା ଓ ବାତ୍ୟା ପରିଚାଳନାରେ ନିୟୋଜିତ ଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କୁହାଯାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛନ୍ତି। ଅନ୍ୟପଟେ ବାତ୍ୟା ପରେ କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସୁଧାର ଆସିଲେ ଡ଼ୋର ଟୁ ଡ଼ୋର ସର୍ଭେକୁ ଜୋରଦାର କରାଯିବ। ପ୍ରଭାବିତ ଅଞ୍ଚଳରେ ଲୋକ ମାନେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଂ ଆରମ୍ଭ ହେବ। ବାତ୍ୟା ଦ୍ୱାରା ରାଜ୍ୟର କୌଣସି ଜିଲ୍ଲାର ବିଶେଷ କିଛି ଭିତ୍ତିଭୂମି ନଷ୍ଟ ହୋଇନାହିଁ। ତେଣୁ ଏଥିରେ ଭୟ କରିବାର ଆବଶ୍ୟକତା ନାହିଁ।