ଶିଳ୍ପା ସେଟ୍ଟୀଙ୍କ ପରିବାରର ସମସ୍ତେ କରୋନା ସଂକ୍ରମିତ

ଗୁରୁଗ୍ରାମ, ଏଜେନ୍ସି: ସେ ଧନୀ ହୁଅନ୍ତୁ ଅବା ଗରିବ। ଅଭିନେତା ହୁଅନ୍ତୁ ଅବା ସାମ୍ବାଦିକ। ଶିଳ୍ପପତି ହୁଅନ୍ତୁ ଅବା ସାଧାରଣ ନାଗରିକ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦେଶର ନାମୀଦାମୀ ଲୋକମାନେ ମଧ୍ୟ କରୋନାର କବଳରେ ପଡୁଛନ୍ତି। ଖବର ଅନୁସାରେ ଚଳଚ୍ଚିତ୍ର ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ଶିଳ୍ପାଙ୍କର ୧ ବର୍ଷୀୟ କନ୍ୟା ସମିଶା ଓ ପୁତ୍ର ବିବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଶାଶୂ, ଶ୍ୱଶୁର, ସ୍ୱାମୀ ରାଜ କୁନ୍ଦ୍ରା ଓ କନ୍ୟା ସମେତ ପରିବାରର ସମସ୍ତ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଶିଳ୍ପା ସେଟ୍ଟୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଗତ ୧୦ ଦିନ ଆମ ପରିବାର ପାଇଁ କଠିନ ସମୟ ଥିଲା। ମୋ ମା ସମେତ ଆମ ପରିବାରର ସମସ୍ତ ସଦସ୍ୟ ସଂକ୍ରମିତ ହୋଇ ସଙ୍ଗରୋଧରେ ରହୁଛନ୍ତି। ଗୃହକାର୍ଯ୍ୟରେ ସହାୟତା କରୁଥିବା ଦୁଇଜଣ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଛନ୍ତି। ନିଜେ କିନ୍ତୁ ସଂକ୍ରମିତ ହୋଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି।