ଥାନାରେ ଆତ୍ମହତ୍ୟା ଘଟଣା : ୨ ପୁଲିସ ନିଲମ୍ବିତ

ରଙ୍ଗେଇଲୁଣ୍ଡା, ଏନ୍ଏନ୍ଏସ୍: ସୋମବାର  ଗୋଳନ୍ଥରା ଥାନାରେ ଗଣେଶ ଡାକୁଆ(୩୧)  ଆତ୍ମହତ୍ୟା କରିଥିଲେ।  ଏହି ଘଟଣାରେ ମଙ୍ଗଳବାର ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ସଦର ଏସଡିପିଓ ଜୟନ୍ତ ମହାପାତ୍ର ଗୋଳନ୍ଥରା ଥାନାରେ ପହଞ୍ଚି ଗଣେଶ ଡାକୁଆ କେଉଁ ପରିସ୍ଥିତିରେ ଓ କିଭଳି ଆତ୍ମହତ୍ୟା କଲେ ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଥାନା ଏଏସ୍ଆଇ ପି. ସି. ଆଚାର୍ଯ୍ୟ ଓ କନେଷ୍ଟବଳ ଡି.ପି. ଜେନାଙ୍କୁ ବ୍ରହ୍ମପୁର ଏସ୍ପି ନିଲମ୍ବିତ କରିଛନ୍ତି।  ଏଥିସହ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କୁ ଘଟଣାର ତଦନ୍ତ ସରିବା ପର୍ଯ୍ୟନ୍ତ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନାରେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଗୋଳନ୍ଥରା ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଆତ୍ମହତ୍ୟା ଘଟଣାରେ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସ୍ପି। ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ଗ୍ରାମରେ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଖବର ପାଇବା ପରେ ତାଙ୍କୁ କାବୁ କରି କୋଭିଡ ନିୟମ ପ୍ରକାରେ ଥାନା ପରିସରରେ ଥିବା ଅଭ୍ୟର୍ଥନା ଗୃହରେ ଅଟକ ରଖି ପଚରାଉଚରା କରୁଥିଲା। ରାତ୍ର ପ୍ରାୟ ୮ଟାରେ ଗଣେଶ ପ୍ୟାଣ୍ଟରେ ପିନ୍ଧିଥିବା ବେଲ୍ଟକୁ ଝରକା ଲୁହାରେ ଲଗାଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ଦାୟିତ୍ୱରେ ଥିବା କନେଷ୍ଟବଳ ଗଣେଶଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ସଦସ୍ୟ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମଙ୍ଗଳବାର ଭୋରରେ ପୋଲିସ ହସ୍ତାନ୍ତର କରିଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ  ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାର ତଦନ୍ତ ଭାର ମୁଖ୍ୟାଳୟରେ ଥିବା ଡିଏସପି ପ୍ରକାଶ ଜେନାଙ୍କୁ ପ୍ରଦାନ କରାଯାଇଛି।