ଏପ୍ରିଲ ୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର, ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୯ ତାରିଖରେ ସୁପ୍ରିମ କୋର୍ଟରେ ହେବ। ଏନେଇ ସୁପ୍ରିମ କୋର୍ଟ ରେଜିଷ୍ଟ୍ରାର ଅଫିସ ତରଫରୁ ସୂଚନା ମିଳିଛି। ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା ଗତ ଫେବ୍ରୁଆରୀ ୨୨ ତାରିଖରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେଇ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ରିପୋର୍ଟ ଦାଖଲ କରାଯାଇଥିଲା। ଉକ୍ତ ରିପୋର୍ଟକୁ ଦେଖିବା ପରେ ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ନିଜ ଗାଁ ନୟଗଡ ଜିଲ୍ଲା ଯଦୁପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲା। ପରେ ଜୁଲାଇ ୨୩ ତାରିଖରେ ପରୀର ଗଳୀତ ଶରୀର ସ୍ଥାନୀୟ ଏକ ପୋଖରୀ ପାଖରୁ ମିଳିଥିଲା । ଅଭିଯୋଗ ପରେ ନୟାଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ କିଛି ସୁରାଗ ପାଇ ନ ଥିଲା। ପରେ ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ଉଦ୍ୟମ କରିବା ସହ ମାମଲାର ଉଚ୍ଚସ୍ତରୀର ତଦନ୍ତ କରିବାକୁ ଦାବି କରିଥିଲେ।