ଶକ୍ତି ବୃଦ୍ଧି ଲକ୍ଷ୍ୟରେ ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୁବଶୀଘ୍ର ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବିଭିନ୍ନ ବର୍ଗର ସଂଗଠନର ପୁନର୍ବିନ୍ୟାସ କରିବା ପରେ ଏବେ ସଦସ୍ୟତା ଅଭିଯାନ ଓ ଦଳର କାର୍ଯ୍ୟକାରିଣୀ ରାଜ୍ୟବ୍ୟାପୀ ଜାରି ରହିଛି। ଏହି କାର୍ଯ୍ୟକ୍ରମ ସରିବା ପରେ ଦଳର ସୁପ୍ରିମୋ ରିଟର୍ଣ୍ଣିଂ ଅଫିସର ଚୟନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ଚୟନ କରିଥିବା ରିଟର୍ଣ୍ଣିଂ ଅଫିସର ଜିଲ୍ଲା ସ୍ତରରେ ଜଣେ ଜଣେ ରିଟର୍ଣ୍ଣି ଅଫିସର ଓ ଆସିଷ୍ଟାଣ୍ଡ ରିଟର୍ଣ୍ଣିଂ ଅଫିସର ଚୟନ କରିବେ। ଏହି ପ୍ରକ୍ରିୟା ବିଭିନ୍ନ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନେତା ଓ ନିର୍ବାଚନମଣ୍ଡଳୀର ବିଧାୟକ ଏବଂ ସାଂସଦଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଦଳର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି।
ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଞ୍ଚମ ଥର ପାଇଁ ଆଶୀର୍ବାଦ କରିଛନ୍ତି।

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ସାରା ଓଡ଼ିଶାରେ ନିଜର ଦବଦବା ଜାହିର କରିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି। ଗତ ସାଧାରଣ ନିର୍ବାଚନରେ କିଛି ସ୍ଥାନରେ ରହିଥିବା ତ୍ରୁଟିକୁ ସୁଧାରି ପୁଣି ରାଜ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେହିପରି ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଜେଡିର ଛାତ୍ର ଓ ଯୁବ ସଂଗଠନକୁ ମଧ୍ୟ ପୁନର୍ବିନ୍ୟାସ ହେବ। ଯେଉଁମାନେ ବିଗତ ଦିନରେ ଯୁବ ଓ ଛାତ୍ର ସଂଗଠନର ମଙ୍ଗ ଧରିଥିଲେ ସେମାନଙ୍କର ପରାମର୍ଶ କ୍ରମେ ଏହି ଚୟନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକ୍ରିୟା ସମ୍ପାଦନ ହେବ।