ରାଉରକେଲା,ଏନ୍ଏନ୍ଏସ୍: ସୁଶାସନ ପ୍ରତିଷ୍ଠା ବିଶେଷତଃ ଦୁଇଟି ସ୍ତମ୍ଭକୁ ଆଧାର କରି ହୋଇଥାଏ। ଶିକ୍ଷା, ସ୍ୱାସ୍ଥ୍ୟ ହିଁ ଏହି ସୁଶାସନର ୨ଟି ମୁଖ୍ୟ ସ୍ତମ୍ଭ ବୋଲି ରବିବାର ରାଉରକେଲା ଇସ୍ପାତ୍ କାରଖାନାର ଇସ୍ପାତ୍ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ଅବସରରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆଥିକ ସହଯୋଗରେ ରାଉରକେଲା ଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇ ସୁନ୍ଦରଗଡବାସୀ ବିଶେଷଭାବରେ ଜନଜାତିଙ୍କ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ । ଅର୍ଥାତ୍ ଆଜି ମୁଁ ମୋ ଗାଁକୁ ହସ୍ପିଟାଲ ଉଦଘାଟନ ପାଇଁ ଆସିଛି । ଅପରପକ୍ଷରେ ସେ କହିଛନ୍ତି ସାରା ବିଶ୍ୱରେ ସ୍ୱାସ୍ଥ୍ୟକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିବା ବେଳେ କୋଭିଡ୍ ପରିଚାଳନାରେ ଭାରତ ବିଶ୍ୱରେ ଉଦାହରଣ ତିଆରି କରିପାରିଛି ।
