ପୂଜାରେ ଲୈଲା-ମଜନୁଙ୍କ ରୋମାନ୍ସ

କେବେ ରୋମିଓ ତ କେବେ ଡାହା ବାଳୁଙ୍ଗା ପୁଣି କେବେ ଲଭ୍ ମାଷ୍ଟର ପାଲଟି ଦର୍ଶକଙ୍କ ମନ ମୋହିଥିବା ବାବୁସାନ୍ ଏ ବର୍ଷ ପୂଜାରେ ଦେଖିବାକୁ ମିଳିବେ ମିଷ୍ଟର ମଜନୁ ଅବତାରରେ। ହଁ, ‘ମିଷ୍ଟର ମଜନୁ’ ନାମରେ ଏକ ଫିଲ୍ମ ବର୍ତ୍ତମାନ ସୁଟିଂ ଫ୍ଲୋର୍ ରେ ଅଛି। ଆଉ ଗୋଟିଏ କଥା କହିରଖୁଛୁ, ମଜନୁଙ୍କର ସିନା ଜଣେ ଲୈଲା ଥିଲେ, ଏ ଫିଲ୍ମର ମଜନୁ ଅର୍ଥାତ୍ ବାବୁସାନ୍ ତିନି ତିନି ଜଣ ଲୈଲାଙ୍କ ସହ ରୋମାନ୍ସ କରୁଥିବା ଦେଖିବେ ଦର୍ଶକ।

ଏ ତିନି ଲୈଲା ଅର୍ଥାତ୍ ଫିଲ୍ମର ମୁଖ୍ୟ ନାୟିକା ହେଲେ ଶୀତଲ, ସୂର୍ଯ୍ୟମୟୀ ଓ ଦିବ୍ୟାଦିଶା। ‘ଯିଏ ଯାହା କହୁ ମୋର ଢୋ’, ‘ସୁନା ପିଲା ଟିକେ ସ୍କୃ ଢିଲା’ରେ ଶୀତଲ ବାବୁସାନଙ୍କ ନାୟିକା ଭାବେ ପର୍ଦ୍ଦାକୁ ଓହ୍ଲାଇଥିବାବେଳେ ସୂର୍ଯ୍ୟମୟୀ ‘ଭଲପାଏ ତତେ ୧୦୦ରୁ ୧୦୦’ରେ ବାବୁଙ୍କ ନାୟିକା ଭାବେ ଦେଖିବାକୁ ମିଳିଥିଲେ। ସେହିପରି ଦିବ୍ୟାଦିଶା ‘ସୁନ୍ଦରଗଡ଼ର ସଲ୍ମାନ ଖାନ୍’ରେ ବାବୁସାନଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଥିଲେ। ପ୍ରଥମ ଥର ପାଇଁ ବାବୁସାନଙ୍କ ବିପକ୍ଷରେ ଏ ତିନି ଜଣ ନାୟିକାଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିପାଇଁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ କିଛି କମ୍ ନୁହେଁ। ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।