ରାଜ୍ୟରେ ୭୪ କରୋନା ପଜିଟିଭ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୩୫୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ଝାରସୁଗୁଡ଼ାରୁ ୬, ବାଲେଶ୍ୱର ଓ ମୟୁରଭଞ୍ଜରୁ ୫ ଲେଖାଏଁ, ପୁରୀ ଓ ସୋନପୁରରୁ ୪ ଲେଖାଏଁ, ବରଗଡ଼, ବଲାଙ୍ଗିର ଓ ଯାଜପୁରରୁ ୩ ଲେଖାଏଁ, ଭଦ୍ରକ ଓ ଷ୍ଟେଟପୋଲରୁ ୨ ଲେଖାଏଁ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା ଓ କେଉଁଝରରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ଭୁବନେଶ୍ୱରର ଜଣେ ୫୪ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି। କରୋନା ବ୍ୟତୀତ ସେ ମଧୁମେହରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୩ଲକ୍ଷ ୬୦ହଜାର ୧୪୫ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ ହଜାର ୩୫୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୬୪୭ଜଣ ସୁସ୍ଥ ହୋଇଛନ୍ତି, ୧୯୧୭ଜଣଙ୍କର ମୃତ୍ୟୁ ଘଟିଛି ଓ ୭୩୪ ଜଣ ଚିକିତ୍ସିତ ହେଉଛନ୍ତି।